ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି ସ୍ଥିର କରିଥାଏ। କମ୍ପାନୀ ଅନୁଯାୟୀ ଇଣ୍ଟର୍ନଶିପରେ ମାସେ କି ଦୁଇ ମାସ ବିନା ଦରମାରେ କାମ କରାଯାଇଥାଏ। ଆଉ ଯଦି ସେହି ଭିତରେ କାମ ନ ଭଲ ଲାଗିଲା ସେହି ବ୍ୟକ୍ତିଙ୍କୁ ବାହାର କରି ଦିଆଯାଏ।

ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଇଣ୍ଟର୍ନଶିପରେ ଅଧିକ କାମ କରିବା ଯୋଗୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଚାଇନାର ହେନାନ ପ୍ରଦେଶରେ ଏପରି ଘଟଣା ଦେଖିବାକୁ ମିଳିଛି। ଯୁବକଙ୍କର ନାମ ଲି ହାଓ। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଲି ‘ପିଙ୍ଗ ଡିଙ୍ଗ ଶାନ ଭୋକେସନାଲ ଏବଂ ଟେକ୍ନିକାଲ କଲେଜ’ରେ ପଢୁଥିଲେ। ପରେ ସେ ଜେଙ୍ଗଜୋ ନାମକ ଏକ ଗେମିଂ କମ୍ପାନୀରେ ଇଣ୍ଟର୍ନଶିପ ଆରମ୍ଭ କରିଥିଲେ।
ଲି ଏହି କମ୍ପାନୀରେ ଲାଇଭ ଷ୍ଟ୍ରିମର ଭାବରେ ଇଣ୍ଟର୍ନଶିପ କରୁଥିଲେ, ଯେଉଁଠାରେ ତାଙ୍କୁ ପ୍ରତି ମାସରେ ୨୪୦ ଘଣ୍ଟା ଲାଇଭ ଷ୍ଟ୍ରିମିଂ କରିବାର ଦାୟିତ୍ୱ ଦିଆଯାଇଥିଲା। ମାସକ ପରେ ତାଙ୍କୁ ୪୨୦ ଡଲାର ଅର୍ଥାତ ପ୍ରାୟ ୩୫ ହଜାର ଟଙ୍କା ଦରମା ରୂପେ ଦେବାର ଚୁକ୍ତି କରାଯାଇଥିଲା। କିନ୍ତୁ ମାସେ ପୂରଣ ହେବା ପୂର୍ବରୁ, ନଭେମ୍ବର ୧୦ରେ ଲି’ଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାରୁ ଲି ବହୁତ ଚାପରେ ଥିଲେ। ଯାହାଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ଲି’ଙ୍କ ମୃତ୍ୟୁ ପରେ କମ୍ପାନୀ ୭୦୦ ଡଲାର ଅର୍ଥାତ ୫୮ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି। କମ୍ପାନୀ କହିଛ, ଲି ଆନୁଷ୍ଠାନିକ ଭାବରେ କମ୍ପାନୀର କର୍ମଚାରୀ ନୁହଁନ୍ତି ଏବଂ ବିଳମ୍ବିତ ରାତିରେ କାମ କରୁଥିବା ନେଇ କମ୍ପାନୀ ପାଖରେ କୌଣସି ସୂଚନା ନାହିଁ। ସମବେଦନା ଜଣାଇବା ସହ କ୍ଷତିପୂରଣ ଘୋଷଣା କରି କମପାନୀ ନିଜ ଦୋଷ ଛିଣ୍ଡେଇ ଦେଇଥିବା ଜଣାପଡିଛି।

Share