ଉଇଗୁର ମୁସଲମାନ ମହିଳାଙ୍କୁ ସନ୍ତାନ ପ୍ରସବ ନ କରିବାକୁ ବାଧ୍ୟ କରୁଛି ଚାଇନା !

ବେଜିଂ,୨୯।୬: ଚାଇନା ସରକାରଙ୍କ ଆଉ ଏକ ଅମାନବିକତା ଆସିଛି ସାମ୍ନାକୁ। ଏବେ ସେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଏକ କଠୋର ପଦକ୍ଷେପ ନେଇଥିବା ଜଣାପଡିଛି। ଏଥିପାଇଁ ସେ କେବଳ ଉଇଗୁର ସମ୍ପ୍ରଦାୟର ମୁସଲମାନ ପୁରୁଷ ଓ ମହିଳାଙ୍କର ବଳପୂର୍ବକ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଉଛି ବୋଲି ଜଣାପଡିଛି। ଏହାଦ୍ୱାରା ଉଇଗୁର ସମ୍ପ୍ରଦାୟର ମହିଳାମାନେ ଆଉ ସନ୍ତାନ ପ୍ରସବ କରିପାରିବେ ନାହିଁ। ଏହାସହ ଏମାନେ ରହୁଥିବା ଅଞ୍ଚଳରେ ହାନ ସମ୍ପ୍ରଦାୟର ଲୋକଙ୍କୁ ଅଧିକ ସନ୍ତାନ ପ୍ରସବ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଜନସଂଖ୍ୟା ବୃଦ୍ଧି ରୋକିବାକୁ ଚାଇନା ସରକାରଙ୍କ ଏହି କଠୋର ପଦକ୍ଷେପକୁ ସମାଲୋଚନା କରାଯାଉଛି। ମିଳିଥିବା ବିଶେଷ ସୂତ୍ରରୁ ଜଣାପଡିଛି କି ପ୍ରଥମେ ପ୍ରଥମେ କେତେଜଣ ମହିଳାଙ୍କର ଇଚ୍ଛା ବିରୋଧରେ ସେମାନଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଥିଲା। ହେଲେ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି। ଗତ ପ୍ରାୟ ୪ ବର୍ଷ ଧରି ଚାଲିଥିବା ଏଭଳି କାର୍ଯ୍ୟକୁ ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି କି ଏହା ଜନସଂଖ୍ୟା ନିୟନ୍ତ୍ରଣ ନାଁରେ ଏକ ପ୍ରକାର ନରସଂହାର। ତେବେ ଉଇଗୁର ମହିଳାମାନଙ୍କର ମଝିରେ ମଝିରେ ଗର୍ଭାବସ୍ଥାର ଯାଞ୍ଚ ମଧ୍ୟ କରାଯାଉଛି ବୋଲି ଜଣାପଡିଛି। ମୁସଲମାନ ସମ୍ପ୍ରଦାୟ ପ୍ରତି ଚାଇନାର ଏହା ପ୍ରଥମ ଘଟଣା ନୁହେଁ ବୋଲି କୁହାଯାଉଛି। କାରଣ ପୂର୍ବରୁ ମଧ୍ୟ ଏମାନଙ୍କୁ ଜବରଦସ୍ତ ସରକାରୀ ଚାକିରି ଦେଉଥିଲା ଚାଇନା ସରକାର। ଯଦି ଏମାନେ ଏଥିରେ ଅମଙ୍ଗ ହେଉଥିଲେ ତେବେ ସେମାନଙ୍କ ପରିବାର ଉପରେ ଜରିମାନା ଲଗାଯାଉଥିଲା ବୋଲି କୁହାଯାଏ।

Share