ଚାଇନା ବିରୋଧରେ ଆମେରିକାର ବଡ ଚାଲ, ତାଇୱାନକୁ ଦେଲା ୧.୧ ଅରବ ଡଲାର ସେନା ସହାୟତା

ୱାଶିଂଟନ,୩ ।୯: ଚାଇନା ବିରୋଧରେ ଆମେରିକା ଚଳାଇଛି ବଡ ଚାଲ । ଶୁକ୍ରବାର ଆମେରିକା ତାଇୱାନ ଭଳି ଏକ ଛୋଟିଆ ଦ୍ୱୀପକୁ ୧.୧ ବିଲିୟନ ଡଲାରର ନୂଆ ଅସ୍ତ୍ରଶସ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛି । ଆମେରିକା ସ୍ପିକର ନାନ୍ସି ପେଲୋସି ସ୍ୱ-ଶାସିତ ଲୋକତନ୍ତ୍ର ଦେଶ ତାଇୱାନ ଗସ୍ତ କରିବାର ମାସକ ପରେ ଏହି ବଡ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଖପ୍ପା ହେବା ସହ ଏମିତିକି ଉଭୟ ଦେଶ ଏହାର ପରିଣାମ ଭୋଗ କରିବେ ବୋଲି ମଧ୍ୟ ଧମକ ଦେଇଥିଲା । କେବଳ ସେତିକି ନୁହେଁ ଏହାର ପରଦିନ ଚାଇନା ତାଇୱାନ ସୀମାରେ ଯୁଦ୍ଧାଭ୍ୟାସ ଆରମ୍ଭ କରି ଦେଇଥିଲା । ଏବେବି ତାଇୱାନ ଓ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ଉତ୍ତେଜନା ମଧ୍ୟରେ ତାଇୱାନକୁ ଆମେରିକାର ଏହି ସହାୟତା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ଏହି ପ୍ୟାକେଜରେ ଶତ୍ରୁ ପକ୍ଷରୁ ଆସୁଥିବା ମିଶାଇଲକୁ ଟ୍ରାକ କରିବାକୁ ତାଇୱାନର ସହଯୋଗ କରିବାକୁ ଏକ ପ୍ରାରମ୍ଭିକ ରାଡାର ଚେତାବନୀ ପ୍ରଣାଳୀ ପାଇଁ ୬୬୫ ମିଲିୟନ ଡଲାର ଓ ୬୦ ଅନ୍ୟ ହାର୍ପୁନ ମିଶାଇଲ ପାଇଁ ୩୫ ମିଲିୟନ ଡଲାର ଖର୍ଚ୍ଚ କରାଯାଇଛି । ଏହା ଆସୁଥିବା ଜାହାଜକୁ ବୁଡାଇବାରେ ସକ୍ଷମ ହେବ । ବୈଦେଶିକ ବିଭାଗର ଜଣେ ପ୍ରବକ୍ତା ଯିଏ ବିକ୍ରିକୁ ମଞ୍ଜୁରୀ ଦେଇଛନ୍ତି ସେ କହିଛନ୍ତି ପ୍ୟାକେଜ ତାଇୱାନର ସୁରକ୍ଷା ପାଇଁ ଆବଶ୍ୟକ ଥିଲା । ପ୍ରବକ୍ତା ଆହୁରି ମଧ୍ୟ କହିଛନ୍ତି, ଆମେ ବେଜିଂକୁ ତାଇୱାନ ବିରୋଧରେ ସେନା, ରାଜନୀତି, ଆର୍ଥିକ ଚାପକୁ ରୋକିବା ସହ ଏହା ବଦଳରେ ତାଇୱାନ ସହ ସାର୍ଥକ କଥାକାର୍ତ୍ତା କରିବାକୁ ଇଚ୍ଛା ପ୍ରକାଶ କରୁଛୁ ।

Share