Categories: ଜାତୀୟ

ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୪ା୮: ଲଦାଖର ଲାଇନ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ (LAC) ଉପରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗିରହିଛି। ଚାଇନା ଯେକୌଣସି ଚାଲବାଜି କରିପାରେ ବୋଲି ଆଶଙ୍କା କରି ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଏହା ଅଧୀନରେ ବାୟୁସେନାକୁ ସାହାଯ୍ୟ କରିବା ପାଇଁ ଲଦାଖରେ ଦୁଇଟି ହାଲୁକା ଯୁଦ୍ଧ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ଏହା ବିଶ୍ୱର ସବୁଠାରୁ ହାଲୁକା ଲଢୁଆ ଯୁଦ୍ଧ ହେଲିକପ୍ଟର ଏବଂ ଏହାକୁ ଭାରତରେ ନିର୍ମାଣ କରାଯାଇଛି।
ଲଦାଖର ଏଲ୍‌ଏସି ଉପରେ ଚାଇନାର କୌଶଳ ନେଇ ଭାରତ ସର୍ବଦା ସଜାଗ ରହିଛି। ସମ୍ବେଦନଶୀଳ ଲଦାଖରେ ନିୟୋଜିତ ହେବା ପୂର୍ବରୁ ଏହି ହେଲିକପ୍ଟର ଦୁଇଟିର ଦକ୍ଷତା ସମ୍ପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା।

ଏୟାରଫୋର୍ସର ଭାଇସ୍‌ ଚିଫ୍‌ ଏୟାର ମାର୍ଶଲ ହରଜିତ୍‌ ସିଂ ଆରୋରା ଏଚ୍‌ଏଏଲ୍‌ ଟେଷ୍ଟ ପାଇଲଟ ଓ୍ବିଙ୍ଗ୍‌ କମାଣ୍ଡର ସୁଭାଷ ପି ଜନଙ୍କ ସହ ହାଇ ଓ୍ବିଙ୍ଗ୍‌ ସ୍ଥାନରୁ ଫରୱାର୍ଡ ଏରିଆକୁ ଉଡ଼ାଣ କରିଥିଲେ। ଏହାର ଆକ୍ରମଣ କ୍ଷମତାକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ତା’ପରେ ଏହାକୁ ଏକ ବିପଦପୂର୍ଣ୍ଣ ହେଲିପ୍ୟାଡ୍‌ରେ ଅବତରଣ କରାଯାଇଥିଲା। ଏହି ଯୁଦ୍ଧ ହେଲିକପ୍ଟର ଖୁବ୍‌ ଉଚ୍ଚତାରୁ ରହି ଅସ୍ତ୍ରଶସ୍ତ୍ର ପରିବହନ କରିପାରେ।

Share