ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା…

ବେଜିଂ,୧୭।୧୦: ବିସ୍ତାରବାଦୀ ନୀତି ଜାରି ରଖିଥିବା ଚାଇନା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ମହାକାଶରେ ନିଜର ସ୍ଥିତି ସୁଦୃଢ଼ କରିବା ଲାଗି ଚାଇନା ଯୋଜନାବଦ୍ଧ ଭାବେ ଏଭଳି କରିଛି। ଚାଇନା ପାଖରେ ଥିବା ଏହି କ୍ଷମତା ବର୍ତ୍ତମାନ ପୃଥିବୀର ଅନ୍ୟ କୌଣସି ଦେଶ ନିକଟରେ ନାହିଁ। ତେବେ ଚାଇନାର ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପୂୂର୍ଣ୍ଣ ସଫଳ ରହିନାହିଁ। ହାଇପରସୋନିକ୍‌ କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟରୁ ୩୨ କିଲୋମିଟର ଦୂରରେ ଖସିପଡ଼ିଥିବା କୁହାଯାଉଛି। ଚାଇନା ପାଖରେ ଥିବା ଏହି କ୍ଷେପଣାସ୍ତ୍ର ଶକ୍ତି ନେଇ ଆମେରିକା, ରୁଷିଆ ସମେତ ଅନ୍ୟ ଦେଶଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି।

ସ୍ଥଳଭାଗ ଏବଂ ସମୁଦ୍ର ଉପରେ ଆକ୍ରମଣାତ୍ମକ ବିସ୍ତାରବାଦୀ ନୀତି କାର୍ଯ୍ୟକାରୀ କରିବା ପରେ ଚାଇନା ବର୍ତ୍ତମାନ ମହାକାଶରେ ମଧ୍ୟ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ଦିଗରେ ଯୋଜନା ପ୍ରସ୍ତୁତ କରିଛି। ମିଡିଆ ରିପୋର୍ଟ ଅନୁସାରେ ଗତ ଅଗଷ୍ଟ ମାସରେ ଚାଇନା ମହାକାଶରେ ଏକ ନୂତନ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସୂଚନା ଅନୁଯାୟୀ, ଚାଇନା ମହାକାଶର ନିମ୍ନ କକ୍ଷପଥରେ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ପଠାଇଛି। ଏହି କ୍ଷେପଣାସ୍ତ୍ର ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ହାଇପରସୋନିକ ବେଗରେ ଏହାର ଲକ୍ଷ୍ୟ ଆଡକୁ ମୁହାଁଇଥିଲା।

ବ୍ରିଟେନର ଫାଇନାନ୍ସିିଆଲ ଟାଇମ୍ସ ଖବରକାଗଜର ରିପୋର୍ଟ ଅନୁଯାୟୀ, ଚାଇନାର କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହିଁ। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟସ୍ଥଳଠାରୁ କିଛି କିଲୋମିଟର ଦୂରରେ ଖସି ପଡିଛି। ସୂଚନାନୁସାରେ, ଚାଇନା ଲଙ୍ଗ ମାର୍ଚ୍ଚ ରକେଟ ଦ୍ୱାରା ଏହାର ହାଇପରସୋନିକ ଗ୍ଲାଇଡ ଭେହିକିଲ୍‌ ପଠାଇଥିଲା। ଚାଇନା ଅଗଷ୍ଟରେ କରିଥିବା ଏହି ପରୀକ୍ଷା ବିଷୟରେ ବିଶ୍ୱକୁ ସୂଚନା ଦେଇ ନାହିଁ। ଚାଇନାର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣରେ ଆମେରିକାର ଗୁପ୍ତଚର ସଂସ୍ଥା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଜନ କିର୍ବି କହିଛନ୍ତି ଯେ ଚାଇନାର ସାମରିକ ସାମର୍ଥ୍ୟକୁ ନେଇ ଆମେରିକା କ୍ରମାଗତ ଭାବରେ ଉଦ୍‌ବେଗ ପ୍ରକାଶ କରୁଛି। ଏହିପରି ପଦକ୍ଷେପ ଦ୍ୱାରା କେବଳ ଉତ୍ତେଜନା ହିଁ ବୃଦ୍ଧି ପାଇବ।

ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା, ଆମେରିକା, ରୁଷିଆ ଏବଂ ଅନ୍ୟ ପାଞ୍ଚଟି ଦେଶ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି। ହାଇପରସୋନିକ କ୍ଷେପଣାସ୍ତ୍ର ଅନ୍ୟ କ୍ଷେପଣାସ୍ତ୍ର ପରି ପରମାଣୁ ୱାରହେଡ ବହନ କରିପାରିବ। ଏହାର ଗତି ଶବ୍ଦର ବେଗଠାରୁ ୫ ଗୁଣ ଅଧିକ। ଯେଉଁଠାରେ ସାଧାରଣ କ୍ଷେପଣାସ୍ତ୍ର ବାଲିଷ୍ଟିକ ଟ୍ରାଜେକ୍ଟୋରୀ ଅନୁସରଣ କରେ, ହାଇପରସୋନିକ କ୍ଷେପଣାସ୍ତ୍ର ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ ନାହିଁ। ଏହି କାରଣରୁ କ୍ଷେପଣାସ୍ତ୍ରର ଗତିପଥ କ’ଣ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନଥାଏ।

ଆମେରିକା ଆଲାସ୍କାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ଷେପଣାସ୍ତ୍ର ସିଷ୍ଟମ ନିର୍ମାଣ କରିଛି, କିନ୍ତୁ ଏହା ଚାଇନାର ସ୍ପେସ ହାଇପରସୋନିକ କ୍ଷେପଣାସ୍ତ୍ର ସାମନାରେ ଅଦରକାରୀ ପ୍ରମାଣିତ ହେବ। ରୁଷିଆର ଅତ୍ୟାଧୁନିକ ଏସ୍‌-୫୦୦ ଏୟାର ପ୍ରତିରକ୍ଷା ପ୍ରଣାଳୀ ବ୍ୟତୀତ କୌଣସି ଦେଶର ପାଖରେ ଚାଇନାର ହାଇପରସୋନିକ କ୍ଷେପଣାସ୍ତ୍ରକୁ ଅଟକାଇବାର କ୍ଷମତା ନାହିଁ। ଏଭଳି ପରିସ୍ଥିତିରେ ରୁଷିଆ ଏବଂ ଚାଇନାର ସହ ସମକ୍ଷକ ହେବା ପାଇଁ ଆମେରିକା ମଧ୍ୟ ଏହି କ୍ଷେପଣାସ୍ତ୍ର ନିର୍ମାଣ କରୁଛି। ଏବେ ଉତ୍ତର କୋରିଆ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ଚର୍ଚ୍ଚା ହେଉଛି।

Share