Advertisement

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପ୍‌ ଷ୍ଟୋରରୁ ହଟାଇ ଦିଆଯାଇଛି। ଫଳରେ ଏହା କାମ କରିବା ବନ୍ଦ କରିଦେଇଛି। ଏହା ସତ୍ତ୍ୱେ ଯେଉଁମାନଙ୍କ ମୋବାଇଲରେ ଏହି ଆପ୍‌ ଡାଉନ୍‌ଲୋଡ୍‌ ହୋଇ ରହିଛି, ସେମାନେ କିଛି ସମୟ ପାଇଁ ଏହାକୁ ବ୍ୟବହାର କରିପାରିବେ। ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚାଇନା ଚିନ୍ତାବ୍ୟକ୍ତ କରିଛି।
ଜାତୀୟ ସୁରକ୍ଷା ଦୃଷ୍ଟିରୁ ଟିକ୍‌ଟକ୍‌ ଓ ଅନ୍ୟ ୫୮ ଚାଇନା ଆପ୍‌କୁ ଭାରତ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟାନ୍‌ କରିଛି। ଏନେଇ ମଙ୍ଗଳବାର ଟିକ୍‌ଟକ୍‌ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ପକ୍ଷରୁ ଆମକୁ ସ୍ପଷ୍ଟୀକରଣ ମଗାଯାଇଛି। ଭାରତରେ ଏହି ଆପ୍‌କୁ ସୁରକ୍ଷିତ ଭାବେ ଚଳାଇବା ପାଇଁ ଆମେ ସମସ୍ତ ଦିଗ ଉପରେ ଧ୍ୟାନ ଦେଉଛୁ। ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ଭାରତ ସରକାରଙ୍କ ନୋଟିସ ମିଳିଛି। ଆମେ ସ୍ଥିତି ଯାଞ୍ଚ କରୁଛୁ। ଚାଇନା ସରକାର ସବୁବେଳେ ନିଜ ଦେଶର କମ୍ପାନୀଗୁଡ଼ିକୁ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଆଇନ ତଥା ଅନ୍ୟ ନିୟମଗୁଡ଼ିକୁ ବିଦେଶରେ ମାନିବାକୁ ପରାମର୍ଶ ଦେଇଥାଏ। ଚାଇନା ସମେତ ବିଦେଶୀ ପୁଞ୍ଜିନିବେଶକାରୀଙ୍କ ବୈଧ ଓ ଆଇନଗତ ଅଧିକାର ବଜାୟ ରଖିବା ଭାରତ ସରକାରଙ୍କ ଉତ୍ତରଦାୟିତ୍ୱ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share