ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ କୋଭିଡ ନୀତିକୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କୋହଳ କରିବା ପାଇଁ ଏକ ପଦକ୍ଷେପ ନେଇଥିଲା। ଏହା ପରେ, ଦେଶରେ କରୋନା ସଂକ୍ରମଣ ମାମଲା ହଠାତ ବଢ଼ିବାରେ ଲାଗିଥିଲା।

ହସ୍ପିଟାଲରେ ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଏହା ବିଶ୍ୱର ସମସ୍ତ ଦେଶର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଦେଶ ଚାଇନ ଯାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିବନ୍ଧକ ଲାଗୁ କରିଛନ୍ତି। ମାତ୍ର ଏଭଳି ପଦକ୍ଷେପ ଚାଇନା ସରକାରଙ୍କୁ ବିରକ୍ତ କରିଛି।

ଆମେରିକା, କାନାଡା, ଫ୍ରାନ୍ସ, ଜାପାନ, ଭାରତ ଆଦି ଦେଶରେ ଚାଇନାର ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ କରୋନା ରିପୋର୍ଟ କାର୍ଯ୍ୟକାରୀ କରାଯାଇଛି। ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନେଗେଟିଭ୍‌ କରୋନା ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି। ଏହି ପଦକ୍ଷେପକୁ ଚାଇନା ନିନ୍ଦା କରିଛି ଏବଂ ଏହାର ପ୍ରତିଶୋଧ ନେବାକୁ ମଧ୍ୟ ଧମକ ଦେଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ କେତେକ ଦେଶ କେବଳ ଚାଇନା ଯାତ୍ରୀଙ୍କୁ ଟାର୍ଗେଟ କରି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ବୈଜ୍ଞାନିକ ଆଧାରର ଅଭାବ ରହିଛି ଏବଂ ଏହିପରି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଚାଇନା ଏହି ଆଧାରରେ ମଧ୍ୟ ପ୍ରତିଶୋଧ ନେଇପାରେ।

Share