କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା ଏବେ ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୨୦ ରୁ ଅଧିକ ସହରରେ ଏକ ‘ନୂଆ ଯୁଗ’ ବିବାହ ଏବଂ ସନ୍ତାନ ପ୍ରସବ ସଂସ୍କୃତି ସୃଷ୍ଟି କରିବାକୁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। ଯାହା ଦ୍ୱାରା କର୍ତ୍ତୃପକ୍ଷ ଏକ ଅନୁକୂଳ ସନ୍ତାନ ପ୍ରସବ ପରିବେଶକୁ ପ୍ରୋତ୍ସାହିତ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ଜନସଂଖ୍ୟା ଏବଂ ପ୍ରଜନନ ଉପାୟ ଲାଗୁ କରୁଥିବା ଚାଇନାର ପରିବାର ଯୋଜନା ସଂଘ ମହିଳାମାନଙ୍କୁ ବିବାହ କରିବା ଏବଂ ସନ୍ତାନ ପ୍ରସବ ପାଇଁ ଉତ୍ସାହିତ କରିବାକୁ ପାଇଁ ପରିଯୋଜନା ଆରମ୍ଭ କରିବ।
ଏହି ପରିଯୋଜନା ଅଧୀନରେ ଯୁବକମାନେ ବିବାହ କରିବାକୁ ପ୍ରବର୍ତ୍ତିତ ହେବେ। ଏହାସହିତ, ପିତାମାତାଙ୍କୁ ସଠିକ ବୟସରେ ସନ୍ତାନ ଜନ୍ମ ଏବଂ ସେମାନଙ୍କର ଲାଳନପାଳନ ଦାୟିତ୍ୱ ବାଣ୍ଟିବାକୁ ଉତ୍ସାହିତ କରିବାକୁ ପଡିବ। କେବଳ ସେତିକି ନୁହେଁ ବିବାହ ସମୟରେ ଯୌତୁକ ଏବଂ ଅନ୍ୟାନ୍ୟ ପୁରୁଣା ରୀତିନୀତି ବନ୍ଦ କରାଯିବ।

Share