ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ ଚାଇନା ଏସବୁ ଖାତିର କରୁନାହିଁ। ତେବେ ବର୍ତ୍ତମାନ କ୍ୱାଡ ସଂଗଠନ ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ଚାଇନାର ଏଭଳି ମନମୁଖୀ କାର୍ଯ୍ୟକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଏଥିପାଇଁ ଚାରି ଦେଶ ମନିଟରିଂ ସେଣ୍ଟର ଏବଂ ଟ୍ରାକିଂ ଉପଗ୍ରହକୁ ଏକତ୍ର କରି ଏପରି ଏକ ସିଷ୍ଟମ ତିଆରି କରିବେ ଯାହା ତୁରନ୍ତ ଚାଇନାର ଜାହାଜଗୁଡିକର ଅନଧିକୃତ ଅଞ୍ଚଳରେ ପ୍ରବେଶ ବିଷୟରେ ସୂଚନା ଦେବ। କ୍ୱାଡ ସାମୁଦ୍ରିକ ପଦକ୍ଷେପ ସିଙ୍ଗାପୁର ଏବଂ ଭାରତର ସିସିଟିଭି ସେଣ୍ଟରଗୁଡ଼ିକୁ ସଂଯୋଗ କରିବ। ଏହା ବେଆଇନ ଭାବେ ମାଛ ଧରୁଥିବା ଚାଇନାର ଜାହାଜଗୁଡ଼ିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ହେବ।

ତେବେ ଚାଇନା ମାଛଧରା ଜାହାଜଗୁଡ଼ିକ ଧରା ପଡ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସେମାନଙ୍କ ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ କରିଦେଇଛନ୍ତି। ମାତ୍ର ଏହି ନୂତନ ସିଷ୍ଟମ ଦ୍ୱାରା ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ ହେଲେ ମଧ୍ୟ ସୂଚନା ମିଳିପାରିବ। ସିଙ୍ଗାପୁରର ନାନିଆଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ହଂଜୋ ଝାଙ୍ଗ ଏବଂ ଜେନିଭାଇଭ ଡୋନେଲନ କହିଛନ୍ତି ଯେ ବିଶ୍ୱର ମାଛ ଯୋଗାଣରେ ଚାଇନା ସମସ୍ୟା ସୃଷ୍ଟି କରୁଛି।

Share