ଜାତିସଂଘ ଦ୍ୱାରା ‘ହଂକଂ ମିଡିଆ ସ୍ବତନ୍ତ୍ରତା’ କାର୍ଯ୍ୟକ୍ରମକୁ ଚାଇନାର ବିରୋଧ, ଅନ୍ୟ ଦେଶ ବଏକଟ କରିବାକୁ ଚାଇନାର ଦାବି

ଜେନିଭା,୨୭।୯: ହଂକଂରେ ଜାତିସଂଘ ଦ୍ୱାରା ଗଣମାଧ୍ୟମର ସ୍ବାଧୀନତା ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାହାକୁ ଚାଇନା ବିରୋଧ କରିଛି। ଏହି କାର୍ଯ୍ୟକ୍ରମକୁ ବଏକଟ କରିବାକୁ ଚାଇନା ଅନ୍ୟ ଦେଶ ଉପରେ ଚାପ ପକାଇଛି। ଏହି କାର୍ଯ୍ୟକ୍ରମ ବ୍ରିଟିଶମାନେ ଆୟୋଜନ କରୁଛନ୍ତି।

ଜାତିସଂଘ ମାନବ ଅଧିକାର ପରିଷଦ ଦ୍ୱାରା ପାଞ୍ଚ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୁଧବାର ଦିନ ‘ହଂକଂରେ ମିଡିଆ ଫ୍ରିଡମ’ ଉପରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜିମି ଲାଇଙ୍କ ପୁଅ ସେବାଷ୍ଟିଆନ ଲାଇ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବରେ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ସୁରକ୍ଷା ଆଇନ ଏବଂ ଦେଶଦ୍ରୋହ ମାମଲାରେ ଜିମି ଲାଇଙ୍କୁ ହଂକଂ ଜେଲରେ ରଖାଯାଇଛି।

ଚାଇନା ନିଜର କୂଟନୀତିଜ୍ଞଙ୍କୁ ଏ ସମ୍ପର୍କରେ ଏକ ପରାମର୍ଶନାମା ଜାରି କରିଛି। କୂଟନୀତିଜ୍ଞମାନଙ୍କୁ ଏପରି କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାଇନା ବାରଣ କରିଛି। ଚାଇନା ଦ୍ୱାରା ଜାରି ଚିଠିରେ କୁହାଯାଇଛି ଯେ ହଂକଂ ଚାଇନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପ ହେବା ଉଚିତ ନୁହେଁ।

ଚାଇନାର ଚାପ ପକାଇବା ସତ୍ତ୍ୱେ ଅନେକ ଦେଶ ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ପ୍ରାୟ ୨୨ଟି ଦେଶ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଦେଶଗୁଡିକ ମଧ୍ୟରେ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ।

Share