ବେଜିଂ/ଓ୍ବାଶିଂଟନ,୧୨।୩ : ଆମେରିକାର ଜଣେ ବରିଷ୍ଠ ଜେନେରାଲ ପରାମର୍ଶ ଦେଇଛନ୍ତି ଯେ ଚାଇନା ତାଇୱାନକୁ ଘେରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଆମକୁ ଚାଇନାର ଜାହାଜକୁ ସମୁଦ୍ରରେ ବୁଡ଼ାଇବାକୁ ପଡ଼ିବ। ଆମେରିକାର ପ୍ରଶାନ୍ତ ବାୟୁସେନାର କମାଣ୍ଡର ଜେନେରାଲ କେନେଥ ୱିଲବାକ ଏପରି କହିଛନ୍ତି। ଆମେରିକାର କଲୋରାଡୋରେ ଏୟାର ଆଣ୍ଡ ସ୍ପେସ ଫୋର୍ସ ଆସୋସିଏଶନର ଏକ ଯୁଦ୍ଧ ସମ୍ପର୍କିତ କାର୍ଯ୍ୟକ୍ରମରେ ୱିଲବାକ କହିଛନ୍ତି ଯେ ସଶସ୍ତ୍ର ଡ୍ରୋନ ଏବଂ ବି -୨୧ ରେଡର୍ ଅସ୍ତ୍ର ସାହାଯ୍ୟରେ ଏହି ମିଶନ ସମ୍ପନ୍ନ ହୋଇପାରିବ।
ମିଡିଆ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅଗଷ୍ଟରେ ଯେତେବେଳେ ଆମେରିକାର ପୂର୍ବତନ ସ୍ପିକର ନାନସୀ ପେଲୋସି ତାଇୱାନ ଗସ୍ତରେ ଯାଇଥିଲେ, ଆମେରିକାର ଏହି ପଦକ୍ଷେପ ଉପରେ କ୍ରୋଧିତ ହୋଇ ଚାଇନା ତାଇୱାନକୁ ଘେରି ରହିଥିଲା। ତାଇୱାନର ପୂର୍ବ ଉପକୂଳରେ ଏପର୍ଯ୍ୟନ୍ତ ଚାଇନାର ଜାହାଜ ଅଛି, ଯାହା ତାଇୱାନକୁ ଯିବା ରାସ୍ତା ଅବରୋଧ କରିସାରିଛି।
ଆମେରିକୀୟ ଜେନେରାଲ କହିଛନ୍ତି ଯେ ଚାଇନାର ଜାହାଜଗୁଡ଼ିକ ମଧ୍ୟ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ସହିତ ସଜ୍ଜିତ, ଯାହା ଯେ କୌଣସି ଯୁଦ୍ଧ ବିମାନକୁ ଟାର୍ଗେଟ କରିପାରିବ। ଚାଇନା ଆହ୍ବାନର ମୁକାବିଲା ପାଇଁ ଆମେରିକା ନିଜର ସହଯୋଗୀମାନଙ୍କ ସହ ମିଳିତ ସମରାଭ୍ୟାସ କରିବା ଜରୁରୀ।