ଆମେରିକା ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ଚାଇନା

ଓ୍ବାଶିଂଟନ,୨୪।୧୦: ଗତ କିଛି ବର୍ଷ ହେଲା ଆମେରିକା ଏବଂ ଚାଇନା ଧ୍ୟରେ ବାଣିଜି୍ୟ ସମ୍ପର୍କ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଉଭୟ ଦେଶର ସରକାର ସମ୍ପର୍କରେ ଜମା ହୋଇଥିବା ବରଫ ତରଳାଇବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଅକ୍ଟୋବର ୨୬-୨୮ରୁ ଆମେରିକା ଗସ୍ତ କରୁଛନ୍ତି। ୱାଙ୍ଗ ୟି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିବେ। ଆମେରିକାର ବାଇଡେନ ସରକାର ଚାଇନା ସହ ଆଲୋଚନା ଜାରି ରଖିବାକୁ ଆଗ୍ରହୀ ଏବଂ ସେଥିପାଇଁ ୱାଙ୍ଗ ୟି ଆମେରିକା ଗସ୍ତ କରୁଛନ୍ତି।

ଆମେରିକାର ବୈଦେଶିକ ବିଭାଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇଛି। ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ନେତା ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବଶ୍ୱ ସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ଆମେରିକା ଏବଂ ଚାଇନା ମଧ୍ୟରେ ଯୋଗାଯୋଗର ବାଟ ଖୋଲା ରଖିବାକୁ ଉଦ୍ୟମ କରାଯିବ। ସୂଚନାଯୋଗ୍ୟ, ୨୦୧୮ ଠାରୁ ବାଣିଜ୍ୟ ସମ୍ବନ୍ଧରେ ଚାଇନା ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପରଠାରୁ ଆସୁଥିବା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି
ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆମେରିକା ଏହାର ସ୍ବାର୍ଥ ଏବଂ ମୂଲ୍ୟବୋଧକୁ ଆଗକୁ ବଢାଇବା, ମତଭେଦ ଦୂର କରିବା ତଥା ସାଧାରଣ ଆହ୍ବାନର ମୁକାବିଲା ପାଇଁ କୂଟନୀତି ବ୍ୟବହାର ଜାରି ରଖିବ। ୱାଙ୍ଗ ୟିଙ୍କ ଆମେରିକା ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ସାଂସଦମାନେ ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରେ ତିକ୍ତତା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ମାସରେ ସାନ ଫ୍ରାନ୍ସିସ୍କୋରେ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେବ ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇ ପାରିବେ।

Share