ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ପ୍ରବେଶ ନେଇ ଚାଇନାର ଚେତାବନୀ, ଏଠାରେ ଚଳିବନି ନାଟୋ ନୀତି…

ବେଜିଂ/ଓ୍ବାଶିଂଟନ,୨୧।୩ : ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆମେରିକାର ପ୍ରବେଶକୁ ଚାଇନା ବିରୋଧ କରିଛି। ଚାଇନା କହିଛି ୟୁରୋପରେ ନାଟୋର ବିସ୍ତାରବାଦୀ ନୀତି ଏଠାରେ ଚଳିବ ନାହିଁ। ଆମେରିକାର ଏଭଳି କାର୍ଯ୍ୟ ନେଇ ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି। ଚାଇନାର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି ଯେ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତି ନାଟୋର ବିସ୍ତାରବାଦୀ ଯୋଜନା ଭଳି ବିପଜ୍ଜନକ।

ସିଙ୍ଗୁଆ ୟୁନିଭରସିଟିର ଅନ୍ତର୍ଜାତୀୟ ସୁରକ୍ଷା ଏବଂ ରଣନୀତି ଦ୍ୱାରା ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସୁରକ୍ଷା ଏବଂ ରଣନୀତି ଫୋରମରେ ଚାଇନାର ଉପ ବୈଦେଶିକ ମନ୍ତ୍ରୀ ଲେ ୟୁଚେଙ୍ଗ କହିଛନ୍ତି ଯେ ସୋଭିଏତ ୟୁନିଅନର ବିଲୋପ ପରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ପକ୍ଷରୁ ୱାର୍ସ ଚୁକ୍ତି କରାଯାଇଥିଲା। ୟୁଚେଙ୍ଗ କହିଛନ୍ତି ଯେ, ନାଟୋର ବିସ୍ତାରବାଦୀ ନଯୋଜନା ବଢ଼ିବାରେ ଲାଗିଛି। ଏହାର ପରିଣାମ ଭଲ ଭାବରେ ଅନୁମାନ କରାଯାଇପାରେ। ଏପରିସ୍ଥଳେ ୟୁକ୍ରେନ ସଙ୍କଟ ଏକ କଠୋର ଚେତାବନୀ।

ଚାଇନା ଅଧିକାରୀମାନେ କହିଛନ୍ତି ଯେ କ୍ୱିଭ୍‌କୁ ନାଟୋରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ରୁଷର ଅସୁରକ୍ଷିତତାକୁ ବୃଦ୍ଧି କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଏହି ଯୋଜନା ବାଧ୍ୟ କରିଛି। ସେ କହିଛନ୍ତି ଯେ ମିଳିତ କଥାବାର୍ତ୍ତା ଦ୍ୱାରା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପୁଣି ଶାନ୍ତି ଫେରି ଆସିବ।

ସେ କହିଛନ୍ତି ଯେ ଯଦି ନାଟୋ ରଣନୀତି ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆମେରିକା ଅବ୍ୟାହତ ରଖେ ତେବେ ଏହାର ପରିଣାମ ଭଲ ହେବ ନାହିଁ। ଶେଷରେ ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ସଙ୍କଟ ବଢ଼ିବ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ଏନେଇ ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏସିଆର ଭବିଷ୍ୟତକୁ ସୁରକ୍ଷିତ ରଖିବା ଜରୁରୀ। ଯାହାଫଳରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଏକୀକରଣକୁ ପ୍ରୋତ୍ସାହିତ କରାଯାଇ ପାରିବ। ଏକତା ମାଧ୍ୟମରେ ଏହି ପ୍ରକ୍ରିୟା ମଜବୁତ ହୋଇପାରିବ ବୋଲି ସେ କହିଛନ୍ତିି।

Share