ଶ୍ରୀଲଙ୍କାରେ ଚାଇନା ଯୁଦ୍ଧପୋତ: ଭାରତର ବଢ଼ିଲା ଚିନ୍ତା…

କଲମ୍ବୋ,୧୨।୮ : ଚାଇନାର ପିପୁଲ୍ସ ଲିବରେଶନ ଆର୍ମିର ଯୁଦ୍ଧ ଜାହାଜ  ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା ନୌସେନା ସୂଚନା ଦେଇଛି ଚାଇନା ଯୁଦ୍ଧପୋତ କଲମ୍ବୋ ବନ୍ଦରରେ ଶନିବାର ପର୍ଯ୍ୟନ୍ତ ରହିବ। ଗତ ବର୍ଷ ମଧ୍ୟ ଶ୍ରୀଲଙ୍କା ବନ୍ଦରରେ ଚାଇନାର ଏକ ଗୁପ୍ତଚର ଜାହାଜ ଅଟକି ରହିଥିଲା। ହୈୟ ହାଙ୍ଗ ୨୪ ହାଓ ନାମକ ଯୁଦ୍ଧ ଜାହାଜ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ।

ରିପୋର୍ଟ ଅନୁଯାୟୀ, ଚାଇନା ଯୁଦ୍ଧ ଜାହାଜରେ ସମୁଦାୟ ୧୩୮ଜଣ କ୍ରୁ ସଦସ୍ୟ ଅଛନ୍ତି। ଏହାର ଲମ୍ବ ୧୨୯ ମିଟର। ଏହି ଜାହାଜର କ୍ୟାପଟେନ ହେଉଛନ୍ତି ଜିନ ଶିନ। ଭାରତର ବିରୋଧ ଯୋଗୁଁ ଶ୍ରୀଲଙ୍କା ଜାହାଜ ଆସିବାକୁ ମନା କରିଦେଇଥିଲା। ତେବେ ଗୋଟିଏ ବର୍ଷ ପରେ ପୁଣି ଚାଇନାର ଏକ ଜାହାଜକୁ ଶ୍ରୀଲଙ୍କା ବନ୍ଦରକୁ ଅଣାଯାଇଛି। ଏନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଚାଇନା ଯୁଦ୍ଧପୋତ ଶ୍ରୀଲଙ୍କାରେ ଥିବାରୁ ଉଦବେଗ ପ୍ରକାଶ କରି ଭାରତ କହିଛି ସୁରକ୍ଷା ସ୍ବାର୍ଥକୁ ପ୍ରଭାବିତ କରୁଥିବା ଯେକୌଣସି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି। ଦେଶର ସୁରକ୍ଷା ପାଇଁ ସେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଚାଇନା ଯୁଦ୍ଧପୋତରେ ସିସିଟିଭି ବ୍ୟବସ୍ଥା ରହିଛି। ଚାଇନା ଯୁଦ୍ଧପୋତ ଭାରତୀୟ ସୁରକ୍ଷା ସୂଚନାକୁ ଟ୍ରାକ କରିବା ଆଶଙ୍କ ନେଇ ଭାରତ ଚିନ୍ତିତ ରହିଛି।

 

Share