Categories: ଜାତୀୟ

ବାଂଲାଦେଶ ଉପରେ ଚାଇନା ନଜର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର ଏବଂ ଭୁଟାନରେ ନିଜର ବିସ୍ତାରବାଦୀ କାର୍ଯ୍ୟ ଜାରି ରଖିଥିବା ଚାଇନାରର ନଜର ଏବେ ବାଂଲାଦେଶ ଉପରେ ପଡ଼ିଛି। ବାଂଲାଦେଶରେ ପ୍ରସ୍ତାବିତ ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଉପରେ ଚାଇନା କାମ ଆରମ୍ଭ କରିଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାଇନା ବାଂଲାଦେଶରେ ଏକ ଆନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀ କେନ୍ଦ୍ର ନିର୍ମାଣ କରିଛି। ଏହାକୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଶୁକ୍ରବାର ଉନ୍ମୋଚନ କରିଛନ୍ତି। ବେଲ୍ଟ ଏବଂ ରୋଡ ପ୍ରକଳ୍ପ ଅଧୀନରେ ବାଂଲାଦେଶର ଅନେକ ଜିଲାରେ ରାସ୍ତା ଓ ସେତୁ ନିର୍ମାଣ ହେବାକୁ ଯାଉଛି।

ଏହି ପ୍ରକଳ୍ପରେ ଚାଇନା କୋଟି କୋଟି ଟଙ୍କା ବିନିଯୋଗ କରିଛି। ଚାଇନାର ବିଶେଷଜ୍ଞମାନେ ଏହାକୁ ନିର୍ମାଣ କରୁଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ଚାଇନା ଭାରତର ପଡୋଶୀ ଦେଶ ସହ ଘନିଷ୍ଠତା ବୃଦ୍ଧି କରିବାକୁ ଚେଷ୍ଟା କରିଛି। ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନର ନିକଟତର ହେବାକୁ ଚାଇନା ପୂର୍ବରୁ ପଦକ୍ଷେପ ନେଇଛି। ପାକିସ୍ତାନ ଉପରେ ଚାଇନାର ଋଣ ବୋଝ ରହିଛି। ଅପରପକ୍ଷରେ ଚାଇନା ଏବଂ ଭାରତ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ପ୍ରଥମେ ଗଲୱାନ ଏବଂ ପରେ ଡୋକଲାମରେ କ୍ରମାଗତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।

ଭାରତ ସହ ମୁହାଁମୁହିଁ ହେବା ଏବଂ ଚାଇନା ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା, ଭୁଟାନ, ମ୍ୟାନ୍‌ମାର ପରେ ଏବେ ବର୍ତ୍ତମାନ ବାଂଲାଦେଶର ନିକଟତର ହେବାକୁ ଷଡ଼ଯନ୍ତ୍ର ରଚିଛି। ଏହା ଭାରତ ପାଇଁ ସର୍ତକ ଘଣ୍ଟି ସାବ୍ୟସ୍ତ ହୋଇଛି।
ବାଂଲାଦେଶର ଅଧିକାଂଶ ସୀମା ଭାରତ ସହିତ ଲାଗି ରହିଛି। କିଛି ଅଂଶ ମଧ୍ୟ ମିଆଁମାର ପାର୍ଶ୍ୱରେ ଅଛି। ପ୍ରତିରକ୍ଷା ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଚିଫ୍‌ ଭାଇସ୍‌ ଏୟାର ମାର୍ଶଲ ଆର୍‌.ସି. ବାଜପେୟୀ କହିଛନ୍ତି ଯେ, ବାଂଲାଦେଶର ଅନେକ ସହରରେ ରାସ୍ତା ଓ ସେତୁ ନିର୍ମାଣ ଦାୟିତ୍ୱ ଚାଇନା ନେଇଛି। ଗୋଟିଏ ପ୍ରକା କହିବାକୁ ଗଲେ ଚାଇନାର ଲୋକମାନେ ବାଂଲାଦେଶରେ ପ୍ରବେଶ କରିସାରିଛନ୍ତି।

ଯୋଜନା ଅନ୍ତର୍ଗତ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ ରାସ୍ତା ନିର୍ମାଣ କରାଯିବ। ଭାରତ ଉପରେ ନଜର ରଖିବା ପାଇଁ ଚାଇନା ଜାଣିଶୁଣି ଏପରି କରୁଛି। ଚାଇନା ପୂର୍ବରୁ ଭାରତର ଉତ୍ତର-ପୂର୍ବ ରାଜ୍ୟ ଉପରେ ନଜର ରଖିଛି। ଯଦି ଚାଇନା ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଏହିପରି ମଜବୁତ ହୁଏ, ତେବେ ଆଗାମୀ ଦିନରେ ଏହା ଭାରତ ପାଇଁ ଏକ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଋଣ ଏବଂ ଭିତ୍ତିଭୂମି ବିକାଶ ନାମରେ ଚାଇନା ସବୁବେଳେ ଅନ୍ୟ ଦେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଆସିଛି। ବାଂଲାଦେଶ ସହିତ ମଧ୍ୟ ସମାନ କୌଶଳ ପ୍ରୟୋଗ ହୋଇଥିବା ସେ ପ୍ରକାଶ କରିଛନ୍ତି।

Share