ଶ୍ରୀଲଙ୍କାକୁ ସହଯୋଗ କରିବ ଚାଇନା

ବେଜିଂ,୨୧ା୪: ଅର୍ଥନୈତିକ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଚାଇନା। ବିଳମ୍ବରେ ହେଉ ପଛେ ଶେଷରେ ଚାଇନା ରାଜି ହୋଇଛି। କଲମ୍ବୋକୁ ଏହା ଜରୁରିକାଳୀନ ମାନବିକ ସହାୟତା ପ୍ରଦାନ କରିବ ବୋଲି ଚାଇନା କହିଛି। ତେବେ ଶ୍ରୀଲଙ୍କାର ଋଣ ପୁନଃ ନିର୍ଦ୍ଧାରଣ ପାଇଁ ଚାଇନା ନୀରବ ରହିଛି। ଚାଇନାର ପୁଞ୍ଜି ବିନିଯୋଗ ଏବଂ ଚାଇନାରୁ ବିପୁଳ ଋଣ ଆଧାରରେ ଶ୍ରୀଲଙ୍କାରେ ଋଣ କୂଟନୈତିକ ଅଭିଯୋଗ କରିଛି।

ସମ୍ପ୍ରତି ଶ୍ରୀଲଙ୍କା ଏହାର ସମସ୍ତ ବାହ୍ୟ ଋଣରୁ ଡିଫଲ୍ଟ ଘୋଷଣା କରିଛି। ଶ୍ରୀଲଙ୍କାର ୫୧ ବିଲିୟନ ଡଲାରର ଏକ ବଡ଼ ଋଣ ଅଛି। ଯେଉଁଥିରେ ଚାଇନାର ଅଂଶ ପ୍ରାୟ ୩୬ ପ୍ରତିଶତ ରହିଛି। ଏଭଳି ଋଣ ପରିଶୋଧ କରିବାକୁ ଶ୍ରୀଲଙ୍କା ଛାଡ଼ି ଦେଇଥିଲା।

ଚାଇନା ଅନ୍ତର୍ଜାତୀୟ ବିକାଶ ସହଯୋଗ ଏଜେନ୍ସି ମୁଖପାତ୍ର ଜୁ ଓ୍ବେ କହିଛନ୍ତି, ବର୍ତ୍ତମାନର ସଙ୍କଟକୁ ମୁକାବିଲା କରିବା ପାଇଁ ଶ୍ରୀଲଙ୍କାକୁ ଜରୁରିକାଳୀନ ମାନବିକ ସହାୟତା ପ୍ରଦାନ କରିବାକୁ ଚାଇନା ସରକାର ନିଷ୍ପତ୍ତି ନେଇଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀଲଙ୍କାକୁ ଚାଇନା ଜରୁରିକାଳୀନ ମାନବିକ ସହାୟତା ଘୋଷଣା କରିଛି।

Share