Categories: ଜାତୀୟ

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩ କୋଟି ୩୬ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏଭଳିସ୍ଥଳେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର ବୈଜ୍ଞାନିକମାନେ ଚାଇନାରେ ରୋଗ ସୃଷ୍ଟି କରିଥିବା ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, ଯାହାଦ୍ୱାରା ଭାରତରେ ରୋଗ ବ୍ୟାପିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି। ଉକ୍ତ ଭାଇରସ୍‌ ନାମ ହେଲା ‘କ୍ୟାଟ୍‌ କ୍ୟୁ ଭାଇରସ୍‌(ସିକ୍ୟୁଭି)’। ଏହାଦ୍ୱାରା ଲୋକେ ଜ୍ୱର ସଂକ୍ରାନ୍ତ ଅସୁସ୍ଥତା ଏବଂ ମସ୍ତିଷ୍କ ପ୍ରଦାହରେ ପୀଡ଼ିତ ହୋଇଥାନ୍ତି। ଶିଶୁମାନେ ମଧ୍ୟ ମସ୍ତିଷ୍କ ପ୍ରଦାହରେ ଆକ୍ରାନ୍ତ ହୋଇଥାନ୍ତି। କରୋନା ସମୟରେ ଯଦି ସିକ୍ୟୁଭି ଜନିତ ରୋଗ ବ୍ୟାପିଯାଏ ତା’ହେଲେ ସ୍ଥିତି ଅଧିକ ସଙ୍ଗିନ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ପୁଣେସ୍ଥିତ ଆଇସିଏମ୍‌ଆର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)ର ୭ ଜଣ ଗବେଷକଙ୍କ ଅନୁଯାୟୀ, ଏହି ଭୂତାଣୁ ଚାଇନା ଓ ଭିଏତନାମର କ୍ୟୁଲେକ୍ସ ମଶା ଏବଂ ଘୁଷୁରି ଦେହରେ ଚିହ୍ନଟ କରାଯାଇଛି। ଭାରତରେ ସମାନ ପ୍ରକାରର କ୍ୟୁଲେକ୍ସ ମିଶା ରହିଥିବାରୁ କ୍ୟାଟ୍‌ କ୍ୟୁ ଭାଇରସ୍‌ ଜନିତ ରୋଗ ବ୍ୟାପିପାରେ ବୋଲି ସେମାନେ କହିଛନ୍ତି।
ଏନ୍‌ଆଇଭିର ଗବେଷକମାନେ ବିଭିନ୍ନ ଭାରତୀୟ ରାଜ୍ୟରୁ ନିଆଯାଇଥିବା ୮୮୩ ମାନବ ସେରମ୍‌ ନମୁନା ମଧ୍ୟରୁ ଦୁଇଟିରେ ଏହି ଭୂତାଣୁଙ୍କ ପାଇଁ ଆଣ୍ଟିବଡି ପାଇଥିଲେ। ଏହା ସୂଚାଇ ଦିଏ ଯେ, ଲୋକମାନେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିଲେ। କିନ୍ତୁ ଅନୁସନ୍ଧାନ ସମୟରେ ମାନବ କିମ୍ବା ପ୍ରାଣୀ ନମୁନାରେ ଏହି ଭୂତାଣୁ ମିଳି ନ ଥିଲା। ଆଇସିଏମ୍‌ଆର୍‌ର ଡାକ୍ତରୀ ପତ୍ରିକା ଆଇଜେଏମ୍‌ଆର ଅନୁଯାୟୀ, ଏହି ଦୁଇଟି ନମୁନା ୨୦୧୪ ଏବଂ ୨୦୧୭ରେ କର୍ନାଟକରୁ ନିଆଯାଇଥିଲା। ଆଇସିଏମଆର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ଭୂତାଣୁ ବିସ୍ତାର ହୁଏ ତେବେ ଜନସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇପାରେ।
ଆଇସିଏମ୍‌ଆର୍‌ କହିଛି ଯେ, ମାନବ ସେରମ୍‌ ନମୁନାରେ ଆଣ୍ଟି-ସିଭିସି ମିଳିବା ପରେ ଭାରତୀୟ ମଶାରେ ଏହାର ଆଚରଣ ବୁଝିବା ପାଇଁ ତିନୋଟି ଭିନ୍ନ ପ୍ରଜାତିର ସ୍କ୍ରିନିଂ କରାଯାଇଥିଲା। ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ମିଳୁଥିବା ମଶାମାନେ ଏହି ଭୂତାଣୁ ପ୍ରତି ସମ୍ବେଦନଶୀଳ ଏବଂ ସହଜରେ ସଂକ୍ରମିତ ହୋଇପାରନ୍ତି। ଏହି ମଶାମାନେ ଘୁଷୁରି ଏବଂ ମଣିଷକୁ ମଧ୍ୟ ସଂକ୍ରମଣ ବିସ୍ତାର କରିପାରନ୍ତି।
ସିକ୍ୟୁଭିର ପ୍ରାକୃତିକ ଧାରକ ହେଉଛି ଏକ ମଶା। ସେହିପରି ଗୃହପାଳିତ ଘୁଷୁରି ହେଉଛି ଏହି ଭୂତାଣୁର ପ୍ରାଥମିକ ସ୍ତନ୍ୟପାୟୀ ଧାରକ। ଆଣ୍ଟି-ସିକ୍ୟୁଭି ଆଇଜିଏମ୍‌ ଏବଂ ଆଇଜିଜି ଆଣ୍ଟିବଡି ଚାଇନାର ଗୃହପାଳିତ ଘୁଷୁରିରେ ଚିହ୍ନଟ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ସିକ୍ୟୁଭି ପାଇଁ ମଲିକୁଲାର ଏବଂ ସେରୋଲୋଜିକାଲ ଅନୁସନ୍ଧାନର ବିକାଶ କରିବା ଆବଶ୍ୟକ। ଲୋକଙ୍କ ବ୍ୟତୀତ ଘୁଷୁରିର ସ୍କ୍ରିନିଂ ଆବଶ୍ୟକତା ରହିଛି। ଏହାଦ୍ୱାରା ସଙ୍କଟ ଭୟଙ୍କର ହେବା ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି ହୋଇପାରିବ।

Share