ଚାଇନାର ଆହ୍ୱାନ

ଶିଲୋମୋ ବେନ୍‌-ଅମି

 

ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଚାଇନାର ପ୍ରବେଶକୁ ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ସମର୍ଥନ କରିଥିଲେ ସେତେବେଳେ ସେ କହିଥିଲେ କି ଏହି ପଦକ୍ଷେପ ବହୁ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବ। ଡବ୍ଲ୍ୟୁଟିଓରେ ଯୋଗଦେବା ପରେ ଚାଇନା କେବଳ ଅଧିକ ଆମେରିକୀୟ ଉତ୍ପାଦ ଆମଦାନୀ କରିବାକୁ ରାଜି ହେବନାହିଁ,ବରଂ ଏହା ଗଣତନ୍ତ୍ରର ଅନ୍ୟତମ ବହୁମୂଲ୍ୟ ତତ୍ତ୍ୱ ଅର୍ଥନୈତିକ ସ୍ବାଧୀନତାକୁ ମଧ୍ୟ ସମର୍ଥନ କରିବ। କ୍ଲିଣ୍ଟନ ଆକଳନ କରିଥିଲେ ଯେ, ଚାଇନା ତା’ର ଅର୍ଥନୀତିକୁ ଯେତେ ଅଧିକ କୋହଳ କରିବ ତାହା ସେତେ ଅଧିକ ଲୋକଙ୍କ ସାମର୍ଥ୍ୟକୁ ମୁକ୍ତ କରିବ। ହେଲେ ବାସ୍ତବରେ ଏବେ ଏହା ଅଧିକ ଜଟିଳ ହୋଇଛି। ମୁକ୍ତ ବାଣିଜ୍ୟ ଗଣତନ୍ତ୍ର ପାଇଁ ଅନିବାର୍ଜ୍ୟ ବୋଲି ଧାରଣା ପ୍ରଥମେ କ୍ଲିଣ୍ଟନଙ୍କ ଠାରୁ ଆରମ୍ଭ ହୋଇ ନ ଥିଲା, ତାଙ୍କ ପୂର୍ବରୁ ଜର୍ଜ ଏଚ୍‌. ଡବ୍ଲ୍ୟୁ. ବୁଶ୍‌ ମଧ୍ୟ ଏହି ବିଚାରରେ କାର୍ଯ୍ୟ କରିଥିଲେ। ୨୦୦୧ରୁ ଡବ୍ଲ୍ୟୁଟିଓରେ ଯୋଗଦେବାର ଦୁଇ ଦଶନ୍ଧି ପରେ ଚାଇନାର ଅର୍ଥନୀତିରେ ବହୁ ଅଗ୍ରଗତି ହୋଇପାରିଛି। କିନ୍ତୁ ଏହା ଗଣତନ୍ତ୍ରର ନିକଟବର୍ତ୍ତୀ ହୋଇ ପାରିନାହିଁ। ଆମେରିକାର ନେତାମାନେ ଅର୍ଥନୈତିକ ଏବଂ ରାଜନୈତିକ ସ୍ବାଧୀନତା ମଧ୍ୟରେ ଥିବା ସମ୍ପର୍କ ଉପରେ କେବଳ ଆତ୍ମବିଶ୍ୱାସ ହରାଇ ନାହାନ୍ତି, ବରଂ ପାଶ୍ଚାତ୍ୟ ଗଣତନ୍ତ୍ର ରାଷ୍ଟ୍ରଗୁଡ଼ିକ ଚାଇନା ପ୍ରଭାବରେ ଅସୁରକ୍ଷିତ ମଣିବା ସହ ଭୟଭୀତ ଅଛନ୍ତି।
ଆମେରିକାର ତତ୍କାଳୀନ ପରରାଷ୍ଟ୍ର ସଚିବ ମାଇକ୍‌ ପୋମ୍ପେଓ ଗତବର୍ଷ ସତର୍କ କରି ଦେଇଥିଲେ ଯେ, ମୁକ୍ତ ବିଶ୍ୱ ଚାଇନାକୁ ବଦଳାଇ ଦେବା ଉଚିତ୍‌, ନଚେତ୍‌ ଚାଇନା ଆମ ସମସ୍ତଙ୍କୁ ବଦଳାଇ ଦେବ। ସେହିଭଳି ଗତ ଗ୍ରୀଷ୍ଣକାଳୀନ ଜି-୭ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ , ଆମେରିକା ନେତୃତ୍ୱରେ ଅନେକ ପାଶ୍ଚାତ୍ୟ ଗଣତନ୍ତ୍ର ରାଷ୍ଟ୍ର ଏବଂ ଚାଇନା ମଧ୍ୟରେ ସଂଘର୍ଷ ଲାଗି ରହିଛି ଓ ଏହା ବିଶ୍ୱର ଏକଚ୍ଛତ୍ରବାଦ ସରକାରମାନଙ୍କ ସହ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା। ବିଶ୍ୱର ଉକ୍ତ ଦୃଷ୍ଟିକୋଣକୁ ଚାଇନା ମଧ୍ୟ କିଛି ମାତ୍ରାରେ ଗ୍ରହଣ କରୁଥିବା ଜଣାପଡ଼ୁଛି। ମାନବିକ ଅଧିକାରକୁ ବଜାୟ ରଖିବା ପାଇଁ ପାଶ୍ଚାତ୍ୟର ପ୍ରୟାସକୁ ଏହାର ଆଭ୍ୟନ୍ତରୀଣ ରାଜନୈତିକ ସ୍ଥିରତା ପାଇଁ ସିଧାସଳଖ ବିପଦ ବୋଲି ଭାବୁଛି। ଚାଇନା ପାଇଁ ଜାତୀୟ ସାର୍ବଭୌମତ୍ୱ ଏବଂ ଜାତୀୟ ସମ୍ମାନ ସର୍ବପ୍ରଥମ। ଚାଇନା କ’ଣ ଚାହୁଁଛି ସେଥିପ୍ରତି ଆମେରିକା ଧ୍ୟାନ ଦେବା ଉଚିତ୍‌। ଚାଇନା ହେଉଛି ଏକ ବିଶ୍ୱ ଶକ୍ତି, ଯାହାର ଅର୍ଥନୀତି ବିଶ୍ୱବ୍ୟାପୀ ଅଭିବୃଦ୍ଧି ଓ ସମୃଦ୍ଧିକୁ ଇନ୍ଧନ ଯୋଗାଇଛି। ଯଦି ସେଠାରେ ଏକ ଗମ୍ଭୀର ରାଜନୈତିକ ପରିବର୍ତ୍ତନ ଆଶା କରାଯାଏ ତେବେ ପ୍ରକ୍ରିୟା ସେଭଳି ଶାନ୍ତିପୂର୍ଣ୍ଣ ହୋଇ ନ ପାରେ। ଏଭଳି ସ୍ଥିତିରେ ସାରା ବିଶ୍ୱ ଏହାର ପରିଣାମ ଭୋଗ କରିବ। ଅବଶ୍ୟ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା ( ସିପିସି) ଯଦି ସାହାଯ୍ୟ ନ କରିବ ବା ନ ଚାହିଁବ ତେବେ ସେଠାରେ କ୍ରାନ୍ତିକାରି ପରିବର୍ତ୍ତନ କେବେ ବି ଆସିବ ନାହିଁ। ଅତୀତରେ ସିପିସି ସବୁ ଉଦ୍ୟମକୁ ଧ୍ୱଂସ କରିଦେଇଛି। ଗଣତନ୍ତ୍ର ସପକ୍ଷ ଆନ୍ଦୋଳନକୁ ଗଣହତ୍ୟା ମଧ୍ୟରେ ହଜାଇ ଦେଇଛି। ଲିୟୁ ଜିଆବାଓଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ନ୍ୟୁ ସିଟିଜେନ୍ସ ମୁଭ୍‌ମେଣ୍ଟ । ଗଣତନ୍ତ୍ର ସପକ୍ଷରେ ଘୋଷଣାପତ୍ର ଜାରି କରି ସେ ଆନ୍ଦୋଳନକୁ ଉତ୍ସାହିତ କରିଥିଲେ। ଏଥିପାଇଁ ଜେଲରେ ଥିବା ସମୟରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୯ରେ ଲିୟୁ ତିଆନାନମେନ ସ୍କୋୟାରରେ ପ୍ରତିବାଦକାରୀଙ୍କ ସହ ଯୋଗ ଦେଇଥିଲେ। ଗଣତନ୍ତ୍ର ସପକ୍ଷ ଆନ୍ଦୋଳନକୁ ଧୂଳିସାତ କରିଦେବା ଲାଗି ସିପିସିର ଆଉ ଏକ କ୍ରୂର ପଦକ୍ଷେପରୁ ପ୍ରବାଦକାରୀଙ୍କୁ ରକ୍ଷା କରିବାରେ ତାଙ୍କ ଭୂମିକା ବେଶ୍‌ ଜଣାଶୁଣା। ଦେଖିବାକୁ ଗଲେ ଗୋଟିଏ ପରେ ଗୋଟିଏ ସଙ୍କଟରେ ସିପିସି ଚାଇନାକୁ ସଫଳତାର ସହ ଆଗକୁ ନେଇଚାଲିଛି। ଏହା ହୁଏତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଗ୍ରହଣ କରିବା ଅସହଜ ମନେହେଉ ଥାଇପାରେ। କିନ୍ତୁ ଏହାର ବାସ୍ତବତା ସାମ୍ନାରେ ରହିଛି। ୨୦୦୨-୦୩ରେ ସାର୍ସ ମହାମାରୀ, ୨୦୦୮ର ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାର ଭୁଶୁଡ଼ିପଡ଼ିବା ସ୍ଥିତି ଏବଂ କୋଭିଡ୍‌-୧୯ ମହାମାରୀକୁ ମୁକାବିଲା କରିପାରିଛି। ଆମେ କହିପାରିବା ନାହିଁ ଯେ, ଚାଇନା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ଏଭଳି କରି ପାରିନାହାନ୍ତି। ଏକଚ୍ଛତ୍ରବାଦୀ ଶାସନ ନ ଥିବା ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭଲଭାବେ କୋଭିଡ୍‌ ମହାମାରୀର ମୁକାବିଲା କରିପାରିଛନ୍ତି। ଚାଇନା ଆକାର ଏବଂ ମଜଭୁତ ଆର୍ଥିକ ସ୍ଥିତିକୁ ଦେଖିଲେ ଏହି ସବୁ ସଙ୍କଟ ସମୟରେ ଏସୀୟ ଦେଶଗୁଡ଼ିକରେ ଅସ୍ଥିରତା ସୃଷ୍ଟି କରିପାରିଥାଆନ୍ତା, କିନ୍ତୁ ତାହା କରିପାରିଲା ନାହିଁ।
ଏହା କହି ହେବ ନାହିଁ ଯେ, ଚାଇନାର ରାଜନୈତିକ ପ୍ରକ୍ରିୟାରେ ସକାରାମତ୍କ ପରିବର୍ତ୍ତନ ହେବ ନାହିଁ। ହେଲେ ଏବେ ଚାଇନାର ରାଜନୈତିକ ପ୍ର୍ରକିୟା ସ୍ବାଭାବିକ ଭାବେ ଚାଲିଛି ଓ ବିକଶିତ ହେବାରେ ଲାଗିଛି। ଚାଇନାର ଆର୍ଥିକ ସଫଳ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଚାଇନାର ପୁରୁଣା ସଂସ୍କୃତିଗୁଡ଼ିକ ପୁଞ୍ଜିବାଦ ସହ ଜଡ଼ିତ ନ ଥିଲେ ବୋଲି ମ୍ୟାକ୍ସ ଓ୍ବେବରଙ୍କ ଆକଳନକୁ ଚାଇନାର ସଫଳତା ମିଛ ସାବ୍ୟସ୍ତ କରିଛି। ଏବେ ସୁଦ୍ଧା ସିପିସି ଏକ ନୂଆ ପ୍ରକାର ପୁଞ୍ଜିବାଦ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ଏହା ଚାଇନାର ରାଜନୈତିକ ଏକାଧିକାର ସହ ତାଳ ଦେଇ ଆଗେଇ ଚାଲିଛି। ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶ ଏକଦଳୀୟ ଶାସନ ମଧ୍ୟରେ ସମ୍ଭବ ହୋଇଛି। ଏହାକୁ ରାଜନୀତି ବିଜ୍ଞାନୀ ସାମୁଏଲ ହଣ୍ଟିଙ୍ଗଟନ୍‌ ପରର୍ଫମାନ୍ସ ଲେଜିଟିମାସୀ ବା ପ୍ରଦର୍ଶନର ବୈଧତା କହିଛନ୍ତି। ଚାଇନାର ଆର୍ଥିକ ଅବସ୍ଥା ଯଦି ଭୟଙ୍କର ଭାବେ ତଳକୁ ଖସେ ଓ ଏକ ସଙ୍କଟଜନକ ସ୍ଥିିତି ଉପୁଜେ, ତା’ହେଲେ ଏହି ପ୍ରଦର୍ଶନର ବୈଧତା ସିପିସି ପତନର କାରଣ ହୋଇପାରେ। ଏପରି କି ଲଗାତର ଆର୍ଥିକ ସଫଳତା ପାଇବା ସିପିସି ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ଏବଂ ବୁଶ୍‌ଙ୍କ ବିଶ୍ୱାସ ଥିଲା ଯେ, ଅଧିକ ଆର୍ଥିକ ଉଦାରବାଦୀ ଏକଚ୍ଛତ୍ରବାଦକୁ ଦୁର୍ବଳ କରିପାରିବ। ତାଙ୍କର ବିଶ୍ୱାସ ଭୁଲ ନ ଥିଲା। ସ୍ପେନ୍‌ରେ ଏକଚ୍ଛତ୍ରବାଦୀ ଫ୍ରାନସିସ୍‌କୋ ଫ୍ରାନ୍‌କୋଙ୍କ ଶାସନରେ ଏଭଳି ଘଟିଥିଲା। ସମ୍ପଦ ଅଭିବୃଦ୍ଧି ଏବଂ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ସମ୍ପର୍କ ବୃଦ୍ଧି ଯୋଗୁ ଏକଚ୍ଛତ୍ରବାଦୀ ଦେଶଗୁଡ଼ିକରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବ। ଏଥିପାଇଁ ସିପିସି ଲଗାତର ପୂର୍ଣ୍ଣ ଉଦାରବାଦୀକୁ ବିରୋଧ କରି ଆସୁଛି ଓ ଅଧିକ କ୍ଷତି ସହି ମଧ୍ୟ ନିଜ ସେକ୍ଟରଗୁଡ଼ିକୁ ସୁରକ୍ଷା ଦେଇଆସୁଛି। ଆଭ୍ୟନ୍ତରୀଣ ସୁରକ୍ଷାରେ ସିପିସି ଅତ୍ୟଧିକ ନିବେଶ କରିବାର ବି ଏହା ଏକ ପ୍ରମୁଖ କାରଣ। ୨୦୦୭ରୁ ଏ ବାବଦରେ ବାର୍ଷିକ ଖର୍ଚ୍ଚକୁ ତିନିଗୁଣ ବଢାଇଛି। ୨୦୧୭ରେ ଚାଇନାର ଆଭ୍ୟନ୍ତନୀଣ ସୁରକ୍ଷା ବାବଦୀୟ ଖର୍ଚ୍ଚ ୧.୨୪ ଟ୍ରିଲିୟନ ୟୁଆନ (୧୯୬ ବିଲିୟନ ଡଲାର) ଥିଲା। ଏହା ଚାଇନାର ପ୍ରତିରକ୍ଷା ବ୍ୟୟଠାରୁ ପ୍ରାୟ ୨୦ ବିଲିୟନ ୟୁଆନ ଅଧିକ। ଏହି ସବୁ ଅତ୍ୟଧିକ ନିବେଶରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଏପରି କି ଏଭଳି ସଂସାଧନ ବିନା କ୍ୟୁବା ଏବଂ ଇରାନର ଏକଚ୍ଛତ୍ରବାଦୀ ଅଧିକ କଠୋର ହେବା ପ୍ରମାଣିତ ହୋଇଛି। ଏମିତି କି, ଯଦି କୁହାଯାଏ, ଆକସ୍ମିକ ଭାବେ ଚାଇନାରେ ଶାସନ ପରିବର୍ତ୍ତନ ହୁଏ ,ତେବେ ସେଠାରେ ପାଶ୍ଚତ୍ୟ ଢାଞ୍ଚାର ଗଣତନ୍ତ୍ର ଆସିବା ଚିନ୍ତା କରିବା ବୋକାମୀ। ସୋଭିଏଟ୍‌ ସଂଘର ବିଭାଜନ ପରେ ବି ରୁଷିଆରେ ଏମିତିକା ଗଣତନ୍ତ୍ର ଆସିଲା ନାହିଁ। ଅନ୍ୟପଟେ, ଗଣତାନ୍ତ୍ରିକ ପରିବର୍ତ୍ତନ ଧାରାରେ ଏକଚ୍ଛତ୍ରବାଦ ବା ସତ୍ତାବାଦୀ ଶକ୍ତି ସହଜରେ ତିଷ୍ଠିପାରେ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କାର୍ଯ୍ୟକାଳ ପ୍ରମାଣ କରି ଦେଇଛି। ଶାସନ ପରିବର୍ତ୍ତନ ହେଲେ ଆମେରିକା ଓ ତା’ମେଣ୍ଟରାଷ୍ଟ୍ରଗୁଡ଼ିକୁ ଚାଇନା ଆହ୍ବାନ ଦେବା ବନ୍ଦ କରିବ ବୋଲି ଭାବିବା ଭୁଲ୍‌, ଯାହା ରୁଷିଆ କ୍ଷେତ୍ରରେ ଅନୁଭବ କରାଯାଇଛି।
ଚାଇନାର ଆହ୍ବାନକୁ ଗମ୍ଭୀରତାର ସହ ନେବା ଉଚିତ। ପୂର୍ବ ଏସିଆରେ ଚାଇନା ରାଜକୀୟ ଢାଞ୍ଚାର ଏକଚ୍ଛତ୍ରବାଦୀ ଶାସନ ନେଇ ଆଗେଇବା ଯୋଗୁ ଦୀର୍ଘଦିନରୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଶାନ୍ତିପୂର୍ଣ୍ଣ ବିକାଶର ଯେଉଁ ପ୍ରତିବଦ୍ଧତା ପ୍ରକାଶ କରିଉସୁଛନ୍ତି ତାହା ଠାରୁ ଦୂରେଇ ଯାଇଛନ୍ତି। ସେ ଏକ ନୂତନ ମାଓବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି। ଏଣୁ ମାନବ ଅଧିକାର ପ୍ରତି ଗୁରୁତ୍ୱ ଦେବା ଲାଗି ଶି’ଙ୍କ ଶାସନ ଉପରେ ଚାପ ପ୍ରୟୋଗ କରିବା ମାନେ ଆହୁରି ଅଧିକ ଶତ୍ରୁତା ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟ ଦେଶର ସୁରକ୍ଷା ଉପରେ ଚାଇନା ବିପଦ ସୃଷ୍ଟି କରୁଥିବାରୁ ଆମେରିକା କିଛି ପଦକ୍ଷେପ ଗ୍ରହଣ କରିଛି। ବାଇଡେନ୍‌ ପ୍ରଶାସନ ଏବେ ସମ୍ମିଳିତ ସୁରକ୍ଷା ବ୍ୟବସ୍ଥା କରିବାରେ ଲାଗିଛି। ଇଂଲଣ୍ଡ ,ଅଷ୍ଟ୍ରେଲିଆ ସହ ଅକୁସ ଚୁକ୍ତି କରିବା ସହ ଅଷ୍ଟ୍ରେଲିଆ,ଭାରତ,ଜାପାନ ସହିତ କ୍ୱାଡ୍‌ ମେଣ୍ଟ ଗଠନ କରିଛି। ଚାଇନା ଆହ୍ବାନର ମୁକାବିଲା କରିବା ଲାଗି ଏହାକୁ ଜାରି ରଖିବା ମଧ୍ୟ ଆବଶ୍ୟକ।
ପୂର୍ବତନ ବୈଦେଶିକ ମନ୍ତ୍ରୀ, ଇସ୍ରାଏଲ୍‌