ଚାଇନାରେ କୋଭିଡ୍‌ର ଭୟଙ୍କର ରୂପ: ଦୈନିକ ସଂକ୍ରମଣ ୧୦ ଲକ୍ଷ ଟପିପାରେ

ବେଜିଂ,୨୨ା୧୨: ଚାଇନାରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦୈନିକ ସଂକ୍ରମଣ ୧୦ ଲକ୍ଷ ଏବଂ ୨୪ ଘଣ୍ଟାରେ ୫,୦୦୦ ମୃତ୍ୟୁ ଘଟିପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ସ୍ଥିତି ଆହୁରି ସାଂଘାତିକ ହୋଇପାରେ ବୋଲି ଏକ ବିଶ୍ଲେଷଣ ତଥ୍ୟରୁ ଜଣାପଡ଼ିଛି।

ଜାନୁୟାରୀ ବେଳକୁ ଚାଇନାରେ ଦୈନିକ ସଂକ୍ରମଣ ୩୭ ଲକ୍ଷରେ ପହଞ୍ଚିବ ବୋଲି ଲଣ୍ଡନର ଗବେଷଣା ସଂସ୍ଥା ଏୟାରଫିନିଟି ଲିମିଟେଡ୍‌ ପକ୍ଷରୁ ଆକଳନ କରାଯାଇଛି। ମାର୍ଚ୍ଚ ବେଳକୁ ଏହା ୪୨ ଲକ୍ଷରେ ପହଞ୍ଚିବ ବୋଲି ଗବେଷଣା ସଂସ୍ଥା ସୂଚନା ଦେଇଛି। ବୁଧବାର ୨,୯୬୬ ନୂଆ ମାମଲା ଚିହ୍ନଟ ହେବା ସହିତ ଚଳିତ ମାସରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷେ ଚିକିତ୍ସା ପାଇଁ ହସ୍ପିଟାଲରେ ଜାଗା ନ ଥିବା ବେଳେ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ଆଲୋଚନା ଜୋର୍‌ ଧରିଛି।

Share