ଲଦାଖ, ୨୧।୧୨: ଏଲ୍ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହେଲିପ୍ୟାଡ୍ ଏବଂ କଂକ୍ରିଣ୍ଟ୍ ନିର୍ମାଣ କାର୍ଯ୍ୟ ସହିତ ବୋଟ ମୁତୟନ କରିଛି।
ଏହି ଫଟୋଗୁଡ଼ିକ ଜ୍ୟାକ ଡେଟଜ୍ ନାମକ ରିପୋର୍ଟ ନିଜ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ୍ କରିଛନ୍ତି। ଜ୍ୟାକ ଆମେରିକାର ଫରେନ୍ ପଲିସି ପତ୍ରିକା ପାଇଁ କାମ କରନ୍ତି। ଚିତ୍ରଗୁଡ଼ିକ ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଗଢ଼ିଉଠିଥିବା ଚାଇନାର ନିର୍ମାଣର ବୋଲି ଜଣାପଡ଼ିଛି। ଏଥିରେ ଚାଇନିଜ ଜେଟି (ଡଙ୍ଗା), ସମ୍ଭାବ୍ୟ ହେଲିପ୍ୟାଡ ଏବଂ ସ୍ଥାୟୀ ବଙ୍କର୍ ଦୃଶ୍ୟମାନ ହେଉଛି। ଏହାପୂର୍ବରୁ ନଭେମ୍ବରରେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ ଅରୁଣାଚଳ ପ୍ରଦେଶରେ ଚାଇନା ଏକ ବଡ ଗାଁ ନିର୍ମାଣ କରିଛି।
ଏହା ବ୍ୟତୀତ ନିକଟରେ ସେନା ସୂତ୍ରରୁ ଜଣାପଡ଼ିଛି ଯେ, ପୂର୍ବ ଲଦାଖର ଏଲ୍ଏସି ନିକଟରେ ଚାଇନା କ୍ଷେପଣାସ୍ତ୍ର ଏବଂ ରକେଟ ରେଜିମେଣ୍ଟ ମୁତୟନ କରିଛି। ସେହିପରି ଅକ୍ସାଇ ଅଞ୍ଚଳାରେ ସଡ଼କ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ଚାଇନା ଏଲ୍ଏସି ନିକଟରେ ଏୟାରବେସ ଅପଗ୍ରେଡ କରିବା ସହିତ ସଡ଼କକୁ ପ୍ରଶସ୍ତ କରିବା ଏବଂ ଏୟାର ଷ୍ଟ୍ରିପ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ସୀମାରେ ଭାରତ ଶାନ୍ତି ପାଇଁ ଉଦ୍ୟମ କରୁଥିବାବେଳେ ଚାଇନା ଏହାର ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ ଦ୍ୱାରା ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ କରୁଛି।