Categories: ଜାତୀୟ

ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି

ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା ବଜାୟ ମନୋବୃତ୍ତି ଚାଇନାର ନ ଥିବାରୁ ଆଲୋଚନା ବିଫଳ ହେଉଛି। ଏ ସବୁ ଭିତରେ ଅରୁଣାଚଳ ପ୍ରଦେଶକୁ ନେଇ ବେଜିଂ ପୁଣି ବିବାଦ ଆରମ୍ଭ କରିଛି। ନିକଟରେ ଭାରତ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବୁଧବାର ଚାଇନା ବିରୋଧ କରିଛି। ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚାଇନା ମାନ୍ୟତା ଦିଏ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜାନ କହିଛନ୍ତି। ଏହାର କଡ଼ା ଜବାବ ଦେଇଛି ଭାରତ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଙ୍ଗ। ଦେଶର ଅନ୍ୟ ଅଞ୍ଚଳକୁ ଗସ୍ତ କରିବା ପରି ଅରୁଣାଚଳକୁ ମଧ୍ୟ ନେତାମାନେ ଯାଉଛନ୍ତି। ଭାରତୀୟ ପ୍ରତିନିଧି ଭାରତର ଅଞ୍ଚଳକୁ ଯିବାକୁ ବିରୋଧ କରିବା ଅର୍ଥହୀନ। ବେଜିଂ ଏ ନେଇ କୌଣସି ଭୁଲଧାରଣା ନ ପାଳୁ ବୋଲି ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜବାବ ରଖିଛି।
୯ ତାରିଖରେ ଉପରାଷ୍ଟ୍ରପତି ନାଇଡୁ ଅରୁଣାଚଳ ପ୍ରଦେଶ ଗସ୍ତ କରି ରାଜ୍ୟ ବିଧାନସଭାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦଶନ୍ଧି ଧରି ଅବହେଳିତ ରହିଥିବା ଉତ୍ତର-ପୂର୍ବାଞ୍ଚଳରେ ବିକାଶର ଗତି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ନାଇଡୁଙ୍କ ଏହି ଗସ୍ତକୁ ଚାଇନା ବିରୋଧ କରିଛି। ସୀମା ସମସ୍ୟାକୁ ଜଟିଳ କଲାଭଳି କାମ ଭାରତ ବନ୍ଦ କରୁ ବୋଲି ଚାଇନା କହିଛି। ଭାରତ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଚାଇନାର ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଚାଇନା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ କରିବା ଯୋଗୁ ଭାରତ-ଚାଇନା ସୀମାର ପଶ୍ଚିମ ସେକ୍ଟରରେ ବିବାଦ ଉପୁଜୁଛି। ସେହିପରି ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ନେଇ ଚାଇନା ଏକପାଖିଆ ଭାବେ ନିଜ ହିସାବରେ ସ୍ଥିତି ବଦଳାଇବାକୁ ଉଦ୍ୟମ କରୁଛି। ତେଣୁ ପୂର୍ବ ଲଦାଖ ବିବାଦ ସମେତ ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ ଏବଂ ଦ୍ୱିପାକ୍ଷିକ ଚୁକ୍ତି ଓ ପ୍ରୋଟୋକଲକୁ ସମ୍ମାନ ଜଣାଇ ଚାଇନା ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବାକୁ ଚେଷ୍ଟା କରିବ ବୋଲି ଆଶା ରହିଥିବା ବାଗ୍‌ଚୀ କହିଛନ୍ତି।
ଭାରତ-ଚାଇନା ମଧ୍ୟରେ ୩,୪୮୮ କିଲୋମିଟରକୁ ନେଇ ସୀମା ବିବାଦ ଲାଗିରହିଛି। ଅରୁଣାଚଳ ପ୍ରଦେଶକୁ ଭାରତର ନୁହେଁ ବରଂ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରିଆସୁଛି। ଅକ୍ସାଇ ଚୀନରେ ଚାଇନା ବେଆଇନ ଭାବେ ୩୮ ହଜାର ବର୍ଗକିଲୋମିଟର ଜାଗା ମାଡ଼ି ବସିଛି।

 

 

 

Share