ଚାଇନାର ବିସ୍ତାରବାଦୀ ନୀତି, ନେପାଳରେ ଅତିକ୍ରମଣ ଜାରି…

କାଠମାଣ୍ଡୁ, ୧୨।୩ : ଚାଇନା ଏହାର ବିସ୍ତାରବାଦୀ ନୀତି ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ନେପାଳ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟରେ ଚାଇନା ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ନେପାଳ ସରକାରଙ୍କ ଏକ ରିପୋର୍ଟରେ ୨୦୨୧ ସେପ୍ଟେମ୍ବରରେ ଚାଇନା ନେପାଳର ଅଞ୍ଚଳରେ ଅତିକ୍ରମଣ କରିଥିବା ଅଭିଯୋଗ ହୋଇଛି। ନେପାଳର ପଶ୍ଚିମରେ ଥିବା ହୁମଲା ଜିଲାରେ ଚାଇନା ପକ୍ଷରୁ ଅତିକ୍ରମଣ କରାଯାଉଥିବା ଏହି ରିପୋର୍ଟ କମିଶନ କରାଯାଇଥିଲା।

ଏଥିସହ ନେପାଳର ସୀମା ପୋଲିସଙ୍କୁ ଚାଇନା ସୈନ୍ୟ ବାହିନୀ ମଧ୍ୟ ଧମକ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଏନ୍‌ଆଇ ରିପୋର୍ଟ ଅନୁଯାୟୀ, ଚାଇନା ସୁରକ୍ଷା ବାହିନୀର ନୀରିକ୍ଷଣ ପରେ ନେପାଳ ସୀମାରେ ଲାଲୁଙ୍ଗଜୋଙ୍ଗ ନାମକ ଏକ ସ୍ଥାନରେ ଧାର୍ମିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଥିଲା।

ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ନେପାଳର ଚାଷୀଙ୍କ ଦ୍ୱାରା ଗୋରୁ ଚରାଇବା ପାଇଁ ବ୍ୟବହୃତ ଜମିର ପରିସରକୁ ସୀମିତ କରାଯାଉଛି। ଚାଇନା ସୀମା ସ୍ତମ୍ଭ ଚାରିପାଖରେ ଏକ ବାଡ଼ ନିର୍ମାଣ କରୁଥିଲା ଏବଂ ସୀମାର ନେପାଳ ପାର୍ଶ୍ୱରେ ଏକ କେନାଲ ଏବଂ ରାସ୍ତା ତିଆରି କରିବାକୁ ଚେଷ୍ଟା କରୁଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।

ସୁରକ୍ଷା ବୃଦ୍ଧି ପାଇଁ ଏହି ଅଞ୍ଚଳରେ ନେପାଳର ସୁରକ୍ଷା ବାହିନୀ ନିୟୋଜନ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ତେବେ ନେପାଳ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବ ରହିଛି। କାରଣ ଏହି ରିପୋର୍ଟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇନାହିଁ। କିନ୍ତୁ ଲିକ ହୋଇ ଯାଇଥିବା କୁହାଯାଉଛି। ଏହି ରିପୋର୍ଟ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ବିଚାରାଧୀନ ଅଛି। ରିପୋର୍ଟ ଲିକ ହେବା ପରେ ନେପାଳର ଯୋଗାଯୋଗ ମନ୍ତ୍ରୀ ଜୟନେନ୍ଦ୍ର ବାହାଦୂର କାର୍କି କହିଛନ୍ତି ଯେ ପଡୋଶୀ ଦେଶ ସହ କୌଣସି ସୀମା ସମସ୍ୟାର ସମାଧାନ କୂଟନୈତିକସ୍ତରରେ କରାଯିବାକୁ ପ୍ରୟାସ ହେବ।

ନେପାଳର ଜାତୀୟ ଏକୀକରଣ ଅଭିଯାନର ଅଧ୍ୟକ୍ଷ ବିନୟ ଯାଦବ କାଠମାଣ୍ଡୁରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ଏନେଇ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏଥିରେ ଅନ୍ତର୍ଜାତୀୟ ସମୁଦାୟକୁ ଚାଇନାର ଜମି ଦଖଲ ରଣନୀତି ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା।

ଏହି ସ୍ମାରକପତ୍ରରେ କୁହାଯାଇଛି ଯେ ଅଧ୍ୟୟନ ଅନୁଯାୟୀ, ୧୯୬୩ର ସୀମା ପ୍ରୋଟୋକଲ ପରଠାରୁ ସ୍ତମ୍ଭ ସଂଖ୍ୟା ୫(୨) ଏବଂ କିଟ ଖୋଲା ମଧ୍ୟରେ ଦୁଇ ଦେଶ ମଧ୍ୟରେ ସୀମା ଭାବରେ ଚିହ୍ନିତ ହୋଇଛି। ଯେତେବେଳେ ଚାଇନା ନେପାଳ ଜମିରେ ବାଡ଼ ଓ ତାର ଲଗାଇଥିବା ଅଭିଯୋଗ ମଧ୍ୟ ହୋଇଛି।

Share