ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ କେଉଁଠି, ଜିନପିଙ୍ଗ ସରକାରଙ୍କ ଉପରେ ସନ୍ଦେହ ଘନେଇଲା…

ବେଜିଂ,୧।୮ : ଚାଇନାର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ ଗତ କିଛି ଦିନ ହେବ ନିଖୋଜ ଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ନିକଟରେ କିନ ଗ୍ୟାଙ୍ଗଙ୍କୁ ପଦରୁ ହଟାଇ ଦିଆଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା, ଗ୍ୟାଙ୍ଗଙ୍କ ସମ୍ବନ୍ଧୀୟ ସମସ୍ତ ରେକର୍ଡ ଏବଂ ସୂଚନା ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟରୁ ହଟାଇ ଦିଆଯାଇଛି। ଫଳରେ ଏନେଇ ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ଉପରେ ସାଧାରଣରେ ସନ୍ଦେହ ଘନେଇବାରେ ଲାଗିଛି।

କିନ ଗ୍ୟାଙ୍ଗ ଏକ ମାସରୁ ଅଧିକ ସମୟ ଧରି ଦେଖାଯାଉ ନାହାନ୍ତି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଚାଇନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ତାଙ୍କଜ ସ୍ବାସ୍ଥ୍ୟ ଖରାପ ଥିବାରୁ ଗ୍ୟାଙ୍ଗ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି। ତେବେ ତାଙ୍କୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ବୈଦେଶିକ ସମ୍ପର୍କ ପରିଷଦର ଚାଇନା ବ୍ୟାପାର ବିଶେଷଜ୍ଞ ଇଆନ ଜନସନ କହିଛନ୍ତି ଚାଇନାରେ ଏଭଳି ନିଖୋଜ ଘଟଣା ସାଧାରଣ କଥା। ବେଳେବେଳେ ଏହା ମାସ ଏବଂ ଏପରିକି ବର୍ଷ ବର୍ଷ ଧରି ହୋଇପାରେ। ଜନସନ ସ୍ବାସ୍ଥ୍ୟଗତ କାରଣରୁ ଗ୍ୟାଙ୍ଗ ଅନୁପସ୍ଥିତ ଥିବା ଦାବିକୁ ଦୃଢ଼ ଭାବରେ ଅସ୍ବୀକାର କରିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାରେ ଅଧିକାରୀଙ୍କ ଏପରି ନିଖୋଜ ଘଟଣା ସାଧାରଣ କଥା। ଅତୀତରେ ମଧ୍ୟ ଏପରି ଘଟଣା ଘଟିଛି, ଯେଉଁଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଏବଂ ନେତା ସାଧାରଣ ଜୀବନରୁ ଅଦୃଶ୍ୟ ହୋଇଥିଲେ। ସେଥିମଧ୍ୟରେ ପୂର୍ବତନ ମୁଖ୍ୟ ପ୍ରୋଟୋକଲ ଅଧିକାରୀ ଝାଙ୍ଗ କୁନ୍ସେଙ୍ଗ, ଶିଳ୍ପ ମନ୍ତ୍ରୀ ଜିଆଓ ୟାକିଙ୍ଗଙ୍କ ନାମ ରହିଛି।

Share