ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଫୋରମମରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଦେଇଥିବା ପ୍ରତିଶ୍ରୁତି ଚାଇନା ଭୁଲିଯାଇଛି।
ରୌଫ ଜୈଶ-ଇ-ମହମ୍ମଦ ନେତା ମାସୁଦ ଅଜହରଙ୍କ ଭାଇ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲା। ୧୯୯୯ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪ର ଅପହରଣରେ ରୌଫ ସାମିଲ ଥିଲେ। ଯାତ୍ରୀମାନଙ୍କ ସହିତ ପରିପୂର୍ଣ୍ଣ ଏହି ବିମାନକୁ ଅପହରଣ କରି ଆଫଗାନିସ୍ତାନର କାନ୍ଦାହାରକୁ ନିଆଯାଇଥିଲା ଏବଂ ଏହାର ପ୍ରତିବଦଳରେ ମାସୁଦ ଅଜହର ଏବଂ ଅନ୍ୟ ଆତଙ୍କବାଦୀଙ୍କୁ ମୁକ୍ତ କରାଯାଇଥିଲା।

୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣ ଏବଂ ୨୦୧୬ରେ ପଠାନକୋଟରେ ଭାରତୀୟ ବାୟୁସେନା ବେସ ଉପରେ ହୋଇଥିବା ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ ଦାୟୀ। ଏହି ସମସ୍ତ ଆକ୍ରମଣରେ ରୌଫଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଥିଲା। ୨୦୧୦ ରୁ ଆମେରିକା ରୌଫଙ୍କ ବିରୋଧ ପ୍ରତିବନ୍ଧକ ଲଗାଇଛି।

ଅଗଷ୍ଟ ୨୦୨୨ ରେ ମଧ୍ୟ ଭାରତ ରୌଫଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲା, ସେତେବେଳେ ମଧ୍ୟ ଚାଇନା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ଭେଟୋ ଅଧିକାର ବ୍ୟବହାର କରି ଏହି ପ୍ରସ୍ତାବକୁ ବନ୍ଦ କରି ଦେଇଥିଲା। କିନ୍ତୁ ଏଥର ଏହି ପ୍ରସ୍ତାବ ବନ୍ଦ କରିବା ସହିତ ଚାଇନା ଆପତ୍ତି ଉଠାଇଛି।

Share