ଚାଇନା ସେନାଙ୍କୁ ଦିଆଗଲା କରୋନା ଟିକା !

ବେଜିଂ,୧୧।୮: କରୋନା ଟିକାକୁ ସାରା ବିଶ୍ୱ ଅପେକ୍ଷା ରଖିଥିବା ବେଳେ ରୁଷିଆ ଅଗଷ୍ଟ ୧୨ରେ କରୋନା ଟିକା ପ୍ରଥମ କରି ଆଣିବ ବୋଲି ଦାବି କରିଛି। ଏହାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଏବେ ଖବର ଆସିଛି କି ଚାଇନା ବି ତା’ର କରୋନା ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରି ସାରିଛି। କେବଳ ସେତିକି ନୁହେଁ ଏହି ଟିକାକୁ ସେ ତା’ର ସେନା ଉପରେ ମଧ୍ୟ ପରୀକ୍ଷଣ ଆରମ୍ଭ କରି ସାରିଛି ବୋଲି କୁହାଯାଉଛି। ଏକ ଇଂରାଜୀ ଖବର କାଗଜର ସୂଚନା ଅନୁଯାୟୀ, ଯେତେବେଳେ ସାରା ବିଶ୍ୱ କରୋନା ଟିକା ପ୍ରସ୍ତୁତିର ଶେଷ ଭାଗରେ ପହଞ୍ଚିଛି ଓ ଏହି ଟିକା ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଅବା ଡାକ୍ତରଙ୍କୁ ଦେବାକୁ ସ୍ଥିର କରିଛି ତା’ରି ଭିତରେ ଚାଇନାର ଟିକା ପରୀକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ଖବରକାଗଜର ସୂଚନା ଅନୁଯାୟୀ ଏହି ଟିକା ପ୍ରଥମେ ପିପୁଲ୍ସ ଲିବରେଶନ ଆର୍ମିର ସେନାଙ୍କୁ ଦିଆଯାଇଛି। ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟରେ ଦାବି କରାଯାଇଛି କି ଚାଇନା ଟିକାର ତୃତୀୟ ପରୀକ୍ଷଣର ଫଳାଫଳ ଆସିବା ପୂର୍ବରୁ ସେ ପ୍ରଥମେ ଏହାକୁ ସେନାଙ୍କ ଉପରେ ମାସ୍‌ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ କରିଦେଇଛି। ସୂଚନାଯୋଗ୍ୟ, ଚାଇନା ପୂର୍ବରୁ ମଧ୍ୟ କିଛି ଔଷଧର ପ୍ରଥମ ପରୀକ୍ଷଣ ସେନା ଉପରେ କରିଛି। କାନବେରାରେ ଥିବା ଚାଇନା ପଲିସି ସେଣ୍ଟରର ନିର୍ଦ୍ଦେଶକ ଏଡମ ନିଙ୍କ କହିବା କଥା ହେଲା ଚାଇନା ସେନାଙ୍କ ମଧ୍ୟରେ ଜୈବିକ ଓ ସଂକ୍ରାମକ ରୋଗ ସହ ଲଢିବାର କ୍ଷମତା ରହିଛି ଓ ଚାଇନା ସରକାର ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛି।

Share