Categories: ଜାତୀୟ

ଡୋକ୍‌ଲାମ ନିକଟରେ ଚାଇନାର କ୍ଷେପଣାସ୍ତ୍ର ଘାଟି

ନୂଆଦିଲ୍ଲୀ, ୩୦।୮: ଡୋକଲାମ ନିକଟରେ ଚାଇନା ଦୁଇଟି ଏୟାର ଡିଫେନ୍ସ ପୋଜିଶନ୍‌ର ବିକାଶ କରୁଛି। ଏହା ଡୋକ୍‌ଲାମ ସମେତ ସିକ୍କିମ୍‌ର ନାକୁ ଲାକୁ ଟାର୍ଗେଟ କରିପାରିବ। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ୨୦୧୭ରେ ଡୋକ୍‌ଲାମରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ସ୍ଥିତି ଜାରି ରହିଥିଲା। ନାକୁ ଲାରେ ଚଳିତ ବର୍ଷ ଦୁଇଦେଶର ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଜିଓପଲିଟିକାଲ ଇଣ୍ଟେଲିଜେନ୍ସ ପ୍ଲାଟ୍‌ଫର୍ମ ଷ୍ଟ୍ରାଟଫର ଏବଂ ଡେଟ୍ରେସ୍ଫା ପକ୍ଷରୁ ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କରାଯାଇଥିଲା। ସେମାନଙ୍କ କହିବା ଅନୁଯାୟୀ ଚାଇନା, ଭୁଟାନ ଓ ଭାରତର ସଂଯୋଗସ୍ଥଳ ଡୋକ୍‌ଲାମରେ ବେଜିଂ ଏୟାର ଡିଫେନ୍ସ ପୋଜିଶନ (କ୍ଷେପଣାସ୍ତ୍ର ଘାଟି) ସ୍ଥାପନ କରୁଛି। ଡୋକଲାମ ସୀମା ବିବାଦ ଉପରେ ଏକ ଚୁକ୍ତି ସ୍ବାକ୍ଷର ଲାଗି ଚାଇନା ଭୁଟାନ ଉପରେ ଚାପ ପକାଇଆସୁଛି।
ଏହାବ୍ୟତୀତ ଚାଇନା ପ୍ରକୃତ ନିୟନ୍ତ୍ରଣ ରେଖା ଆରପଟେ ପଶ୍ଚିମ ସେକ୍ଟରରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଜୁଲାଇ ମାସରେ ଗଲଓ୍ବାନ ଉପତ୍ୟକାର ଓ୍ବାଇ ଜଙ୍କଶନ୍‌ରୁ ଚାଇନା ସୈନ୍ୟ ପ୍ରତ୍ୟାହାର କରିନେଇଥିଲା। ଭାରତର ଚାପରେ ନୁହେଁ ବରଂ ଗଲଓ୍ବାନ ନଦୀର ଜଳସ୍ତର ବଢ଼ିବାରୁ ଚାଇନା ଏଭଳି ନିଷ୍ପତ୍ତି ନେଇଥିଲା ବୋଲି କୁହାଯାଉଛି।

Share