Categories: ଜାତୀୟ

ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ

ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ ଷଡ଼ଯନ୍ତ୍ର ରଚିଛି। ଏନେଇ ଚାଇନାର କମ୍ୟୁନିଷ୍ଟ ସରକାର ଘୋଷଣା କରିଛନ୍ତି। ଏହି ପରିଯୋଜନା ନେଇ ଚାଇନା ପକ୍ଷରୁ କୌଣସି ବଜେଟ ଜାରି କରାଯାଇ ନାହିଁ। ତେବେ ଏହାକୁ ନେଇ ଭାରତ ସହିତ ଚାଇନାର ବିବାଦ ଅଧିକ ବଢ଼ିବାର ଆଶଙ୍କା ରହିଛି। ଏହାର ଉଚ୍ଚତା ୧୮୧ ମିଟର ଏବଂ ଲମ୍ବା ୨.୩୩ କିଲୋମିଟର ହେବା ବୋଲି କୁହାଯାଉଛି। ଚାଇନା ବ୍ରହ୍ମପୁତ୍ର ନଦୀ ଉପରେ ପୂୂର୍ବରୁ ୧୧ଟି ବନ୍ଧ ନିର୍ମାଣ କରିସାରିଛି। ସେଥିମଧ୍ୟରେ ଜଙ୍ଗ୍‌ମୁ ଜଳ ବିଦ୍ୟୁତ୍‌ ପରିଯୋଜନା ସର୍ବ ବୃହତ୍‌। ଏହା ୨୦୧୫ଠାରୁ କାମ କରିବା ଆରମ୍ଭ କରିଛି। ଏହା ସହିତ ତିବ୍ବତର ବାପୁ, ଜିଇଶି, ଲଙ୍ଗ୍‌ଟା, ଡାକପା, ନାଙ୍ଗ୍‌, ଡେମୋ, ନାମ୍‌ଚା, ମେଟୋକଠାରେ ମଧ୍ୟ ଚାଇନାର ଜଳବିଦ୍ୟୁତ୍‌ ଯୋଜନା ରହିଛି। ବ୍ରହ୍ମପୁତ୍ର ନଦୀ ତିବ୍ବତରୁ ଚାଇନା ଅଧିକୃତ ଅଞ୍ଚଳରୁ ବାହାରି ଅରୁଣାଚଳ ଦେଇ ଭାରତରେ ପ୍ରବେଶ କରୁଛି। ପରେ ଏହା ଆସାମ ଦେଇ ବାଲାଂଦେଶରେ ପ୍ରବେଶ କରିଛି। ବର୍ଷର ଅନ୍ୟ ସମୟରେ ନଦୀର ଜଳସ୍ତର ସାମାନ୍ୟ ରହୁଛି। ମାତ୍ର ବର୍ଷା ଦିନେ ଚାଇନାର ନଦୀବନ୍ଧ ପରିଯୋଜନା ଯୋଗୁ ଅଧିକ ବର୍ଷା ଜଳ ନିଷ୍କାସନ ହେଉଥିବାରୁ ଆସାମ ଏବଂ ବାଲାଂଦେଶରେ ପ୍ରତିବର୍ଷ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ପୁଣି ନୂଆ ନଦୀବନ୍ଧ ନିର୍ମାଣ ହେଲେ ପରିସ୍ଥିତି ସଙ୍କଟ ଜନକ ହେବ ବୋଲି କୁହାଯାଉଛି। ଚାଇନା ଜାଣିଶୁଣି ଏଭଳି କରୁଥିବା ଅଭିଯୋଗ ହେଉଛି।

Share