ଚାଇନା ରାଷ୍ଟପତି ବିଶ୍ୱର ସବୁଠାରୁ ନିର୍ଭୀକ ବ୍ୟକ୍ତି: ଟ୍ରମ୍ପ

ନ୍ୟୁୟର୍କ,୪।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ପ୍ରଶଂସା କରି ଆଲୋଚନା ଘେରକୁ ଆସିଛନ୍ତି। ଟ୍ରମ୍ପ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଶ୍ୱର ସବୁଠାରୁ ନିର୍ଭୀକ, ମହାନ ନେତା ତଥା ରାଜା ଭାବରେ ବର୍ଣ୍ଣନା କରିଛନ୍ତି। ଟ୍ରମ୍ପଙ୍କ ଏହି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ସମଗ୍ର ଆମେରିକାରେ ଏକ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି।
ଭିଡିଓରେ ଟ୍ରମ୍ପ କହିଛନ୍ତି, ରାଷ୍ଟ୍ରପତି ସି ଜିନପିଙ୍ଗ ଜଣେ ମହାନ ବ୍ୟକ୍ତି। ସେ ୧.୫ ବିଲିୟନ ଲୋକଙ୍କୁ ସହଜରେ ନିୟନ୍ତ୍ରଣ କରନ୍ତି। ସିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ତାଙ୍କର ଶାସନ ପଦ୍ଧତି ଅତ୍ୟନ୍ତ ସୁନ୍ଦର। ସେ ଏପରି ଜଣେ ବ୍ୟକ୍ତି, ଯାହାଙ୍କୁ କେହି ଅନୁକରଣ କରିପାରିବେ ନାହିଁ। ତାଙ୍କ ପରି କେହି ହୋଇପାରିବେ ନାହିଁ।
ତାଇୱାନ ଏବଂ ଉଇଗୁରୁ ମୁସଲମାନମାନଙ୍କ ଉପରେ ୟୁଏନ୍‌ ରିପୋର୍ଟକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ଥିବାବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share