Categories: ଜାତୀୟ

ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା

ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର ମସ୍କୋରେ ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଅନ୍ୟପଟେ ପେଙ୍ଗୋଙ୍ଗ ଅଞ୍ଚଳରେ ଚାଇନା ତାର ସେନା ନିଜର ଶକ୍ତି ବୃଦ୍ଧି କରୁଛି। ଚାଇନା ଚୁପ୍‌ ନ ବସି ପ୍ରତିଆକ୍ରମଣ ଲାଗି ପ୍ରସ୍ତୁତ ହେଉଛି। ସାଟେଲାଇଟ୍‌ରୁ ମିଳିଥିବା ନୂଆ ଚିତ୍ର ଏହା ବୟାନ କରୁଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ତାର ଉଚିତ୍‌ ଜବାବ ଦେବାକୁ ଅଣ୍ଟା ଭିଡିଛି। ଫିଙ୍ଗର ୩ ନିକଟରେ ଭାରତ ପକ୍ଷରୁ ଅଧିକ ସଂଖ୍ୟାରେ ସୈନ୍ୟ ନିଯୁକ୍ତ କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ପେଙ୍ଗୋଙ୍ଗ ହ୍ରଦର ଉତ୍ତରରେ ଉଭୟ ଦେଶ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ହ୍ରଦର ପଶ୍ଚିମରେ ଚାଇନା ସେନା ଆଗକୁ ବଢିବାକୁ ଚେଷ୍ଟା କରୁଛି। ସୂଚନାଯୋଗ୍ୟ, ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କର ଚାଇନା ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। ପ୍ରାୟ ୨ ଘଣ୍ଟାରୁ ଅଧିକ ଘଣ୍ଟା ଧରି ଉଭୟ ନେତା ଆଲୋଚନା କରିଥିଲେ। ସୀମା ବିବାଦର ଆପୋଷ ସମାଧାନ ପାଇଁ ୫ ସୁତ୍ରୀ ଫର୍ମୁଲା ଉପରେ ସମ୍ମତି ପ୍ରକାଶ ପାଇଛି।

Share