ବୁଡ଼ି ଯାଉଥିବା ପାକିସ୍ତାନକୁ ଚାଇନାର ସାହାରା, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଣବିକ ଶକ୍ତି ଉତ୍ପାଦନ ଚୁକ୍ତି…

ଇସଲାମାବାଦ/ବେଜିଂ,୨୦।୬ : ଏକ ଗୁରୁତର ଅଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ଚାଇନାର ସମର୍ଥନ ପାଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଆଣବିକ ବିଦ୍ୟୁତ ଉତ୍ପାଦନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଚାଇନ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୨୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କରାଯିବ। ୪.୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏହି ଚୁକ୍ତି ଦୁଇ ଦେଶ ସ୍ବାକ୍ଷର କରିଛନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ଉପସ୍ଥିତ ଥିଲେ।

ପାକିସ୍ତାନର ପଞ୍ଜାବର ମିଆନୱାଲି ଜିଲାରେ ନିର୍ମିତ ଏହି ଆଣବିକ ଶକ୍ତି କେନ୍ଦ୍ରର ନାମ ଚାଶମା-୫ ରଖାଯାଇଛି। ଏହି ପାୱାର ପ୍ଲାଣ୍ଟକୁ ନେଇ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିରେ ଶାହାବାଜ ସରିଫ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଏହି ପ୍ରକଳ୍ପ ବିନା ବିଳମ୍ବରେ ଶେଷ ହେବ। ଶାହାବାଜ ସରିଫ ପୂର୍ବତନ ଇମ୍ରାନ ଖାନ ସରକାର ଏହି ପ୍ରକଳ୍ପରେ ବିଳମ୍ବ କରିଥିବା ଅଭିଯୋଗ କରିଛନ୍ତି। ସରିଫ କହିଛନ୍ତି ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନକୁ ଚାଇନା ଠାରୁ ୪.୮ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ସହାୟତା ମିଳିଛି। ଏହା ଏକ ବାର୍ତ୍ତା ଦେଉଛି ଚାଇନା କମ୍ପାନୀଗୁଡିକ ପାକିସ୍ତାନରେ ବିନିଯୋଗ କରିବାରେ ଆତ୍ମବିଶ୍ୱାସ ରଖିଛନ୍ତି।

ଶାହାବାଜ ସରିଫ କହିଛନ୍ତି ଚାଇନାର କମ୍ପାନୀଗୁଡିକ ବିଶେଷ ରିହାତି ଦେବେ, ଯେଉଁଥିପାଇଁ ଲୋକମାନେ ଏହି ପ୍ରକଳ୍ପରୁ କୋଟି କୋଟି ଟଙ୍କା ସଞ୍ଚୟ କରିବେ। ଚାଇନା ଏବଂ ଅନ୍ୟ ସହଯୋଗୀ ଦେଶମାନଙ୍କ ସହାୟତାରେ ପାକିସ୍ତାନ ଆର୍ଥିକ ସଙ୍କଟରୁ ବାହାରକୁ ଆସିବ ବୋଲି ଶାହାବାଜ ସରିଫ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶାହାବାଜ ସରିଫ ଚାଇନା ସହିତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କତାରକୁ ଧନ୍ୟବାଦ ଜଣାଇଛନ୍ତି। ଋଣ ପାଇଁ ପାକିସ୍ତାନ ଆଇଏମଏଫ ସହ ଆଲୋଚନା କରୁଛି।

ପାକିସ୍ତାନରେ ଶସ୍ତା ବିଦ୍ୟୁତ ଯେଗାଣ ଦିଗରେ ଏହି ଚାଶମା ବିଦ୍ୟୁତ କେନ୍ଦ୍ରକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ବର୍ତ୍ତମାନ ପାକିସ୍ତାନରେ ଆଉ ଦୁଇଟି ଆଣବିକ ଶକ୍ତି କେନ୍ଦ୍ର କାର୍ଯ୍ୟ କରୁଛି। ଏହି କେନ୍ଦ୍ରଗୁଡିକର ଉତ୍ପାଦନ କ୍ଷମତା ୨୨୯୦ ମେଗାୱାଟ ରହିଛି।

Share