Categories: ଜାତୀୟ

ଚାଇନାର ଗୁପ୍ତଚରୀ: ୧୩୫୦ ରାଜନେତାଙ୍କ ତଥ୍ୟ କରୁଛି ସଂଗ୍ରହ

ନୂଆଦିଲ୍ଲୀ, ୧୪।୯: ଚାଇନାର ଏଲ୍‌ଏସିରେ ଭାରତ ସହିତ ମୁହାଁମୁହିଁ ହେବା ସହିତ ଦେଶର ରାଜନେତାଙ୍କ ସମ୍ପର୍କରେ ଗୁପ୍ତରେ ତଥ୍ୟ ସଂଗ୍ରହ କରୁଛି। ଡିଜିଟାଲ ପ୍ଲାଟଫର୍ମ ସହାୟତାରେ ଚାଇନା ଏଭଳି କାର୍ଯ୍ୟ ଜାରି ରଖିଥିବା ନେଇ ପର୍ଦ୍ଦାଫାଶ୍‌ ହୋଇଛି। ଗଣମାଧ୍ୟମ ସଂସ୍ଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ଏସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଦେଶର ୧୩୫୦ ରାଜନେତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କାର୍ଯ୍ୟ ଚାଇନା କରୁଥିବା ନେଇ ଦେଶର ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସଡ଼ିଏସ୍‌ ବିପିନ୍‌ ରାଓ୍ବତ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ପ୍ରମୁଖଙ୍କ ନାମ ତାଲିକାରେ ରହିଛି। ସେହିପରି ଏହି ତାଲିକାରେ ପୂର୍ବତନ ତଥା ବର୍ତ୍ତମାନର ୪୦ ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୩୫୦ ଜଣ ଏମ୍‌ପି ମଧ୍ୟ ଏହି ତାଲିକାରେ ରହିଛନ୍ତି। ଏହା ସହିତ ତାଲିକାରେ ବହୁ ବିଧାୟକ, ମେୟର, ସରପଞ୍ଚ, ସେନା ଅଧିକାରୀ ଏବଂ ଆଇନଜୀବୀଙ୍କ ନାମ ମଧ୍ୟ ରହିଛି। ତାଲିକାରେ ବର୍ତ୍ତମାନର ୨୪ ମୁଖ୍ୟମନ୍ତ୍ରୀ ରହିଛନ୍ତି। ସେହିପରି ଏଥିରେ ୧୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି। ତାଲିକାରେ ୭୦ ଜଣ ମେୟର ମଧ୍ୟ ରହିଛନ୍ତି। ଚାଇନାର ଶେନଝେନ୍‌ ଏବଂ ଝେହ୍ନୁଆ ଇନଫୋଟେକ୍‌ ପକ୍ଷରୁ ଏଭଳି ଗୁପ୍ତଚରୀ କରାଯାଉଥିବା ନେଇ ଜଣାପଡ଼ିଛି। ଶେନଝେନ୍‌ ଚାଇନାର କମ୍ୟୁନିଷ୍ଟ୍‌ ସରକାରଙ୍କ ପାଇଁ ଭାରତରେ ଗୁପ୍ତଚରୀ କରୁଛି। ଅନ୍ୟ ଦେଶ ଉପରେ ନଜର ରଖିବା ଏହାର କାମ ବୋଲି କୁହାଯାଉଛି। ଏହାକୁ ନେଇ ସଂସଦରେ ହଟ୍ଟଗୋଳ ହୋଇଛି।

Share