ପରୀକ୍ଷଣ ବେଳେ ଚାଇନାର ‘ତିଆନ୍‌ଲଙ୍ଗ୍‌-୩’ ରକେଟ ଦୁର୍ଘଟଣାଗ୍ରସ୍ତ

ବେଜିଂ, ୨।୭: ଚାଇନାର ସ୍ପେସ୍‌ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍‌ଲଙ୍ଗ୍‌-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍‌ ଉତ୍‌କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି ଲଞ୍ଚ୍‌ପ୍ୟାଡ୍‌ରୁ ଅଲଗା ହେବା ସହ ଆକାଶରେ ଦ୍ରୁତବେଗରେ ଗତିକରି ମଧ୍ୟ ଚାଇନାର ହେନାନ୍‌ ପ୍ରଦେଶର ଗୋଙ୍ଗି ସହରରେ ଥିବା ଏକ ପାର୍ବତ୍ୟାଞ୍ଚଳରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ତଦନ୍ତରୁ କେହି ଆହତ ହୋଇ ନ ଥିବା ସ୍ପେସ୍‌ ପାୟୋନିଅର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଦୁର୍ଘଟଣାଗ୍ରସ୍ତ ‘ତିଆନ୍‌ଲଙ୍ଗ୍‌-୩’ ଏକ ତରଳ ବାହକ ରକେଟ ହୋଇଥିବାବେଳେ ଇଣ୍ଟରନେଟ ନେଟ୍‌ଓ୍ବର୍କ ନିର୍ମାଣରେ ସାହାଯ୍ୟ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲା। ଗତ ଏପ୍ରିଲ ୨୦୨୩ରେ ସ୍ପେସ୍‌ ପାୟୋନିଅର ପକ୍ଷରୁ ସଫଳତାର ସହ ‘ତିଆନ୍‌ଲଙ୍ଗ୍‌-୨’ ରକେଟକୁ ଉତ୍‌କ୍ଷେପଣ କରାଯାଇଥିଲା।
ସୂଚନାଯୋଗ୍ୟ, ଚାଇନାର ‘ଚାଙ୍ଗ୍‌’ଇ-୬’ ମହାକାଶ ଯାନ ଚନ୍ଦ୍ରରୁ ମାଟି ଓ ପଥର ଖଣ୍ଡ ଆଣି ପୃଥିବୀପୃଷ୍ଠକୁ ଫେରିବାର କିଛିଦିନ ପରେ ଏହି ଦୁର୍ଘଟଣା ଘଟିଛି।

Share