ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ବ୍ୟବସାୟ ଯୁଦ୍ଧ ଆରମ୍ଭ କରିବାକୁ ଷଡ଼ଯନ୍ତ୍ର କରିଛି।

ଚାଇନା ବର୍ତ୍ତମାନ ଆମଦାନୀ ଉପରେ ଲେବଲ ନିୟମାବଳୀକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି। ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ମେଡ ଇନ ତାଇୱାନ ପରିବର୍ତ୍ତେ ତାଇୱାନ ଚାଇନା କିମ୍ବା ଚାଇନିଜ ତାଇପେଇ ନାମରେ ନାମିତ ହେବାକୁ ଥିବା ତାଇୱାନରେ ନିର୍ମିତ ସାମଗ୍ରୀ ଆମଦାନୀ କରିବାର ନିୟମକୁ ଚାଇନା କର୍ତ୍ତୃପକ୍ଷ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଦ ଧରିଛନ୍ତି। ପୂର୍ବ ଚାଇନା ଜିଆଙ୍ଗସ ୁ ପ୍ରଦେଶର ସୁଜୋରେ ଥିବା ଆପଲ ଯୋଗାଣକାରୀ ପେଗାଟ୍ରନ କର୍ପ କାରଖାନାରେ ଶିପ୍‌ ମେଣ୍ଟ ଯାଞ୍ଚ ପରେ ଆପଲର ପରାମର୍ଶ ଆସିଛି। ତେବେ ଏହାର ସୁଜୋ ପ୍ଲାଣ୍ଟ ସାଧାରଣ ଭାବରେ କାର୍ଯ୍ୟ କରୁଛି ବୋଲି ପେଗାଟ୍ରନ କହିଛି।

୧୯୯୯ର ପ୍ରାରମ୍ଭରେ, ଚାଇନା ଏକ ଚୀନ ନୀତି ଭାବରେ ମେଡ ଇନ ତାଇୱାନ ନାମକ ସାମଗ୍ରୀ ଆମଦାନୀ କିମ୍ବା ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲା। ଅବଶ୍ୟ, ଲେବେଲିଂ ନିୟମକୁ କଡାକଡି କରିବା କେବଳ ଆପଲ ଯୋଗାଣକାରୀଙ୍କୁ ନୁହେଁ ବରଂ ତାଇୱାନରୁ ଚାଇନାକୁ ଶିପମେଣ୍ଟ ପଠାଉଥିବା ସମସ୍ତ ଲୋକ ପ୍ରଭାବିତ ହୋଇ ପାରନ୍ତି। ଏହି ଲେବେଲିଂ ନିୟମ ପୂର୍ବରୁ ବହୁତ କଡ଼ାକଡ଼ି ନ ଥିଲା। କିନ୍ତୁ ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଏହି ନିୟମକୁ କଡାକଡି ପାଳନ କରିବାକୁ ଜିଦ ଧରିଛି।

ଉଲ୍ଲେଖନୀୟ ବିଷୟ ହେଉଛି, ପେଲୋସି ତାଇୱାନ ଗସ୍ତ ପରେ ଚାଇନା ଅଙ୍ଗୁର, ଲେମ୍ବୁ ଏବଂ କମଳା ସମେତ ସାଇଟ୍ରସ ଫଳ ଆମଦାନୀ ବନ୍ଦ କରିଦେଇଛି। ଏହା ସହିତ ତାଇୱାନରୁ ଦୁଇ ପ୍ରକାର ମାଛ ଆମଦାନୀ ଉପରେ ମଧ୍ୟ କଡ଼କଣା ଜାରି ହୋଇଛି। ଚାଇନାରୁ ତାଇୱାନକୁ ବାଲି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଯାହା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ତାଇଓ୍ବାନର ବ୍ୟବସାୟକୁ କ୍ଷତି ପହଞ୍ଚାଇବା ଲାଗି ଚାଇନା ଏଭଳି କରୁଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share