Categories: ଜାତୀୟ

ଛିଡୁନି ଅଙ୍କକଷା, ବାଜି ମାରିବ ଭାଜପା, ଓଡ଼ିଶା ସହ ପଶ୍ଚିମବଙ୍ଗରେ ବି ସବୁଠାରୁ ବଡ ଦଳ ହେବ ଭାଜପା: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା) କିଛି ରାଜ୍ୟରେ ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଏବଂ ଉତ୍ତର ପୂର୍ବ ଭାରତରେ ଭୋଟ ଅଂଶ ବଢାଇବ। ସେ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ ଜିତିପାରିବ ଯାହା କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ସଂଖ୍ୟାଠାରୁ ବହୁତ ଅଧିକ।
ପ୍ରଶାନ୍ତ କହିଛନ୍ତି ଚଳିତବର୍ଷ ନିର୍ବାଚନରେ ପଶ୍ଚିମବଙ୍ଗରେ ଏକ ନମ୍ବର ଦଳ ଭାବେ ଭାଜପା ଉଭା ହୋଇପାରେ। ଏଥି ସହିତ, ତେଲେଙ୍ଗାନାରେ ମଧ୍ୟ ଭାଜପା ଏକ ନମ୍ବର କିମ୍ବା ଦୁଇ ନମ୍ବର ଦଳ ହୋଇପାରେ।
ସେ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି, ସେମାନେ (ଭାଜପା) ତେଲଙ୍ଗାନାରେ ଏକ ନମ୍ବର କିମ୍ବା ଦୁଇ ନମ୍ବର ଦଳ ହେବ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ସେମାନେ ନିଶ୍ଚିତ ଭାବରେ ଓଡ଼ିଶାରେ ମଧ୍ୟ ଏକ ବଡ ଦଳ ହେବେ। ମୋ ମତରେ ଏହାର ସମସ୍ତ ସମ୍ଭାବନା ଅଛି ଏଥିରୁ ସ୍ପଷ୍ଟ ହୋଇଛି ଯେ ପଶ୍ଚିମବଙ୍ଗରେ ଭାଜପା ସର୍ବାଧିକ ଆସନ ଜିତିବାକୁ ଯାଉଛି।
ଗୋଟିଏ ପଟେ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଣ ଭାଜପା ଶାସିତ ରାଜ୍ୟ ହୋଇଥିବା ବେଳେ ଏଥର କିନ୍ତୁ ଏଠାରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ଏମିତିରେ ବି ଏହି ଦୁଇ ରାଜ୍ୟରେ ଏବେ ପର୍ଯ୍ୟନ୍ତ ଟିକେଟ ବଣ୍ଟାକୁ ନେଇ ଭାଗ ଛିଡୁ ନ ଥିବା ବେଳେ ଭାଜପା ଏହାର ଫାଇଦା ଉଠାଇ ପାରେ ବୋଲି ବି ଅନୁମାନ କରାଯାଉଛି।

Share