Categories: ଜାତୀୟ

ପିଏମ୍‌-କେୟାର୍ସକୁ ଦାନ କରିଛନ୍ତି ଚାଇନା କମ୍ପାନୀ: କଂଗ୍ରେସ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌)-ଭାରତରେ କରୋନା ମହାମାରୀ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଣ୍ଠି (ପିଏମ୍‌-କେୟାର୍ସ) ଗଠନ କରିଥିଲେ। କରୋନା ମହାମାରୀ ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ସହାୟତା ପାଇଁ ଏହି ପାଣ୍ଠି ଗଠନ କରାଯାଇଥିଲା। ଏବେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଜୋର୍‌ଦାର ହୋଇଥିବାବେଳେ ଚାଇନା କମ୍ପାନୀ ଚାନ୍ଦା ଦେବାକୁ ନେଇ ଶାସକ ଭାଜପା ଓ ବିରୋଧୀ ଦଳ କଂଗ୍ରେସ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ପିଏମ୍‌-କେୟାର୍ସ ପାଣ୍ଠି ଚାଇନା କମ୍ପାନୀଗୁଡ଼ିକରୁ ଦାନ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଚାଇନା ସହ ଶତ୍ରୁତା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ପିଏମ୍‌-କେୟାର୍ସ ଫଣ୍ଡ ପାଇଁ କାହିଁକି ଚାଇନା ଅର୍ଥ ଗ୍ରହଣ କଲେ ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି। ବିବାଦୀୟ କମ୍ପାନୀ ହ୍ବାଓ୍ବେଇରୁ ପ୍ରଧାନମନ୍ତ୍ରୀ ୭ କୋଟି ଟଙ୍କା ଗ୍ରହଣ କରିଛନ୍ତି କି? ଚାଇନାର ପିପୁଲ୍ସ ଲିବରେଶନ ଆର୍ମୀ ସହ ଏହି କମ୍ପାନୀର ସିଧାସଳଖ ସମ୍ପର୍କ ରହିଛି କି? ଚାଇନାର ଟିକ୍‌ଟକ୍‌ କମ୍ପାନୀ ପିଏମ୍‌-କେୟାର୍ସ ଫଣ୍ଡକୁ ୩୦ କୋଟି ଟଙ୍କା ଦାନ ଦେଇଛି କି ବୋଲି ସିଙ୍ଘଭି ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ ପିଏମ୍‌-କେୟାର୍ସକୁ ପେଟିଏମ୍‌ ୧୦୦ କୋଟି ଦେଇଥିବାବେଳେ ଓପୋ ୧ କୋଟି ଏବଂ ଜିଓମି ୧୫ କୋଟି ଟଙ୍କା ଦେଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ପେଟିଏମ୍‌ରେ ଚାଇନା କମ୍ପାନୀର ୩୮ ପ୍ରତିଶତ ମାଲିକାନା ରହିଛି।
ପିଏମ୍‌ଏନ୍‌ଆର୍‌ଏଫ୍‌ରେ ସଂଗୃହୀତ ଅର୍ଥକୁ ପ୍ରଧାନମନ୍ତ୍ରୀ ମୋଦି ବିବାଦୀୟ ପିଏମ୍‌-କେୟାର୍ସ ଫଣ୍ଡକୁ ସ୍ଥାନାନ୍ତର କରିଛନ୍ତି କି ଏବଂ କେତେ ଶହ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି, ତାହା ଜାଣିବାକୁ ଚାହିଁଛନ୍ତି ସିଙ୍ଘଭି। ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୨୦ ମେ‘ ୨୦ ସୁଦ୍ଧା ଏହି ଫଣ୍ଡକୁ ୯,୬୭୮ କୋଟି ଟଙ୍କା ମିଳିଥିଲା। ଦୁଃଖର କଥା ହେଲା ଚାଇନା ସୈନ୍ୟ ଆମ ସୀମା ଭିତରେ ଅନୁପ୍ରବେଶ କରିଥିବାବେଳେ ପ୍ରଧାନମନ୍ତ୍ରୀ ସେ ଦେଶର କମ୍ପାନୀଠାରୁ ଅର୍ଥ ଗ୍ରହଣ କରୁଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ଅଭିଯୋଗ କରିଛନ୍ତି। ପିଏମ୍‌-କେୟାର୍ସ ପାଣ୍ଠିର ସାମ୍ବିଧାନିକ କିମ୍ବା ପରିଚାଳନା ଢାଞ୍ଚା ସମ୍ପର୍କରେ କେହି ଜାଣନ୍ତି ନାହିଁ। ଏହି ପାଣ୍ଠି କିପରି ନିୟନ୍ତ୍ରଣ ହେଉଛି ଓ ଅର୍ଥ କିପରି ବିନିଯୋଗ ହେଉଛି, ତାହା ମଧ୍ୟ କାହାକୁ ଜଣାଯାଉ ନାହିଁ। ସିଏଜି ସମେତ କୌଣସି ସରକାରୀ କର୍ତ୍ତୃପକ୍ଷ ଉକ୍ତ ପାଣ୍ଠିର ଅଡିଟ୍‌ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଏହି ପାଣ୍ଠିରେ ଆଦୌ ସ୍ବଚ୍ଛତା ନାହିଁ ଏବଂ ଏଥିପାଇଁ କେହି ଉତ୍ତରଦାୟୀ ନୁହନ୍ତି ବୋଲି ସିଂଘଭି ଅଭିଯୋଗ କରିଛନ୍ତି।

Share