ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ, କମ୍ପାନୀର ମହିଳା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ସିଇଓ

ବେଜିଂ,୨୯।୧୨: ଯୁବତୀ ହୁଅନ୍ତୁ କି ମହିଳା ମେକଅପ କରିବାକୁ ବହୁତ ପସନ୍ଦ କରନ୍ତି। ନିଜକୁ ସୁନ୍ଦର ଓ ଆକ୍ଟ୍ରାଟିଭ କରିବା ସହ ଆତ୍ମ ବିଶ୍ୱାସ ବଢାଇବା ପାଇଁ ମହିଳାମାନେ ମେକଅପ କରିଥାନ୍ତି। କିନ୍ତୁ କୌଣସି କମ୍ପାନୀର ସିଇଓ ଯଦି ମେକଅପ କରିବାକୁ ମହିଳା କର୍ମଚାରୀଙ୍କୁ କଡାକଡି ନିର୍ଦ୍ଦେଶ ଦିଅନ୍ତି। ତେବେ ଆପଣ କଣ କହିବେ। ଯଦି ଆମେ ଆପଣଙ୍କୁ କହିବୁ ଏହି ନିର୍ଦ୍ଦେଶ ଏଥିପାଇଁ ଦିଆଯାଇଛି କି, ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ କରିବା ବାଧ୍ୟତାମୂଳକ! ଶୁଣି ତାଜୁବ ହୋଇଯାଉଥିବେ। ହେଲେ ଏହା ସତ। ଚାଇନାର ଏକ କମ୍ପାନୀର ସିଇଓ ତାଙ୍କ ମହିଳା କର୍ମଚାରୀଙ୍କୁ ଏହିପରି ହିଁ ନିର୍ଦ୍ଦେଶ ଦେଇଛନ୍ତି।

ଚାଇନାର ଦକ୍ଷିଣ-ପୂର୍ବ ସହରର ଶୈନଜୈନର ଏକ କମ୍ପାନୀରେ ଏପରି ଘଟଣା ଦେଖିବାକୁ ମିଳିଛି। ସିଇଓ ଲୁଓ ଓ୍ବେବ ଚାଟ୍‌ରେ ମିଟିଂ କରିବା ସମୟରେ ମହିଳା କର୍ମଚାରୀଙ୍କୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୁପ୍‌ ଚାଟରେ କହିବା ସହ ଗ୍ରୁପରେ ମେସେଜମଧ୍ୟ କରିଥିଲେ। ସେ କହିଥିଲେ ଯେ, ଟିମ୍‌ରେ ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମହିଳାମାନେ ସବୁବେଳେ ମେକଅପ କରି ଆସନ୍ତୁ। ପ୍ରତିବଦଳରେ ପୁରୁଷ ସହକର୍ମୀମାନେ ସେମାନଙ୍କୁ ଚା’ ଡେଟ୍‌ରେ ନେବେ।

ତେବେ ସିଇଓଙ୍କ ଏପରି ମେସେଜ ପରେ ମହିଳା କର୍ମଚାରୀମାନେ ଏହାକୁ ରେସପନ୍ସ କରି ନ ଥିଲେ। ଯାହାକୁ ନେଇ ଲୁଓ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ମହିଳାମାନେ ଏପରି ନ କଲେ ସେମାନଙ୍କର ବୋନସ କଟିବ ବୋଲି ସେ କହିଛନ୍ତି।

ଏହାପରେ ଦେଖିବାକୁ ମିଳିଥିଲା କି, ଲୁଓ ତାଙ୍କ ମେସେଜକୁ ଗ୍ରୁପରୁ ଡିଲିଟ କରି ଦେଇଥିଲେ। ହେଲେ ଜଣେ କର୍ମଚାରୀ ଏହାର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏପରି ଘଟଣା ଭାଇରାଲ ହେବା ପରେ ଲୁଓ ତାଙ୍କ ମେସେଜ ମଜାଳିଆ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, WeChat ଆମେ କର୍ମଚାରୀଙ୍କ ସହ ଏପରି ମଜାଳିଆ କଥା ହୋଇଥାଉ।

Share