Categories: ଜାତୀୟ

ଭାରତ ଆସିବେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ: ଏସ୍‌ସିଓ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ,୨୫।୪: ଭାରତରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗଫୁ ସାମିଲ ହେବେ। ଏନେଇ ଚାଇନା ନିଶ୍ଚିତ କରିଛି। ଏହି ବୈଠକ ୨୭-୨୮ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଗାଲଭାନ ସଂଘର୍ଷ ପରେ ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାରତକୁ ଏହା ପ୍ରଥମ ଗସ୍ତ ହେବ। ଏଥି ସହିତ, ନୂଆଦିଲ୍ଲୀରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପରେ ଗୋଆରେ ଗୋଷ୍ଠୀର ବୈଦେଶିକ ମନ୍ତ୍ରୀ ବୈଠକ ମଧ୍ୟ ହେବ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ସମେତ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ବୈଠକରେ ଯୋଗ ଦେଇପାରନ୍ତି। ତେବେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏସ ଜୟଶଙ୍କର। ସେ କହିଛନ୍ତି, ଆତଙ୍କବାଦକୁ ବନ୍ଦ ନ କରିବା ଯାଏ ପଡୋଶୀ ଦେଶ ସହ ଆଲୋଚନା ସମ୍ଭବପର ନୁହେଁ।

Share