ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ ବହିଷ୍କୃତ

ବେଜିଂ,୨୬ା୭: ମାସେ ହେଲା ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଓ୍ବାଙ୍ଗ୍‌ ୟିଙ୍କୁ ନୂଆ ବହିର୍ବ୍ୟାପାର ମନ୍ତ୍ରୀ ନିଯୁକ୍ତ କରିବା ଲାଗି ଚାଇନାର ଶୀର୍ଷ ବ୍ୟବସ୍ଥାପିକା ଭୋଟ୍‌ ଦେଇଥିଲା। କିନ୍‌ଙ୍କୁ ବହିଷ୍କାର କରାଯିବାର କାରଣ ଦର୍ଶାଯାଇ ନ ଥିବାବେଳେ ବ୍ୟବସ୍ଥାପିକାର ନିଷ୍ପତ୍ତି ଉପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ସ୍ବାକ୍ଷର କରିଛନ୍ତି। କିନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କର ଘନିଷ୍ଠ ଥିଲେ। ଜୁନ୍‌ ୨୫ରେ କିନ୍‌ ରୁଷିଆର ଉପବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରେ ରୁଡେଙ୍କୋଙ୍କୁ ବେଜିଂରେ ଭେଟିବା ପରେ ତାଙ୍କର ଆଉ ଦର୍ଶନ ମିଳି ନ ଥିଲା। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି କିମ୍ବା ସେ କୌଣସି ତଦନ୍ତର ସମ୍ମୁଖୀନ ହୋଇଛନ୍ତି ବୋଲି ତାଙ୍କ ଅନୁପସ୍ଥିତିରେ ଚର୍ଚ୍ଚା ହେଉଥିଲା। ନୂଆ ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଓ୍ବାଙ୍ଗ୍‌ଙ୍କୁ ନିଯୁକ୍ତି ଦିଆଯିବା ସତ୍ତ୍ୱେ କିନ୍‌ କେଉଁଠି ଅଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Share