ଆର୍ଥିକ ସହାୟତାର ଲୋଭ ଦେଖାଇଲେ ପାକିସ୍ତାନ ଗସ୍ତରେ ଥିବା ଚାଇନା ବିଦେଶ ମନ୍ତ୍ରୀ…

ବେଜିଂ/ଇସଲାମାବାଦ,୬।୫ : ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗାଙ୍ଗଙ୍କ ଇସଲାମାବାଦ ଗସ୍ତ ପାକିସ୍ତାନରେ ବହୁତ ଆଶା ସୃଷ୍ଟି କରିଛି। ଏଠାରେ ପହଞ୍ଚିବା ପରେ ଚିନ କହିଛନ୍ତି ସେ ପାକିସ୍ତାନର ଆର୍ଥିକ ଅସୁବିଧା ବିଷୟରେ ଜାଣିଛନ୍ତି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା ତାଙ୍କର ପ୍ରାଥମିକତା। ଭାରତରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବା ପରେ ଚିନ ପାକିସ୍ତାନରେ ପହଞ୍ଚିଥିଲେ। ଏହି ବୈଠକ ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ଭାରତ ଆସିଥିଲେ।

ଗସ୍ତର କିଛି ସମୟ ପରେ ଚିନ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭେଟିବାକୁ ଯାଇଥିଲେ। ଏହି ବୈଠକରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନି ଖାର, ଚାଇନାର ଉପ ବୈଦେଶିକ ମନ୍ତ୍ରୀ ସୁନ ୱିଡୋଙ୍ଗ ଏବଂ ଉଭୟ ଦେଶର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ପରେ ପାକିସ୍ତାନର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି, ଆଲୋଚନା ସମୟରେ ଉଭୟ ପକ୍ଷ ଆଞ୍ଚଳିକ ଶାନ୍ତି ଏବଂ ସମୃଦ୍ଧତା ତଥା ବାହ୍ୟ ଆହ୍ବାନର ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଶ୍ଳେଷକଙ୍କ ଅନୁଯାୟୀ ପାକିସ୍ତାନ ଆଶା କରୁଛି, ଚିନ ତାଙ୍କ ଗସ୍ତ ସମୟରେ ପାକିସ୍ତାନକୁ ବିଶେଷ ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶୃତି ଦେବେ। ଗତ କିଛି ମାସ ମଧ୍ୟରେ ଚାଇନେ ମଧ୍ୟ ପାକିସ୍ତାନକୁ ଆର୍ଥିକ ସହାୟତା ଦେଇଛି। ସମ୍ପ୍ରତି ୫୮ ବିଲିୟନ ଡଲାରର ପୁଞ୍ଜି ବିନିଯୋଗରେ ପାକିସ୍ତାନର ବାଲୁଚିସ୍ତାନର ଗୱାଦାର ପର୍ଯ୍ୟନ୍ତ ଏକ ରେଳ ଲାଇନ ନିର୍ମାଣ କରିବାକୁ ଯୋଜନାର ଘୋଷଣା କରିଛି। ଏହା ଅଧୀନରେ ଚାଇନା ପାକିସ୍ତାନରେ ଏକ ବଡ଼ ବିନିଯୋଗ କରିବ। ଏହା ଚାଇନା-ପାକିସ୍ଥାନ ଇକୋନୋମିକ କରିଡର (ସିପିଇସି) ପ୍ରକଳ୍ପ ଅଧୀନରେ ପାକିସ୍ତାନରେ ବ୍ୟାପକ ନିର୍ମାଣ କାର୍ଯ୍ୟ କରିସାରିଛି।

Share