ବାଇଡେନ୍‌ ପ୍ରଶାସନକୁ ଚେତାବନୀ ଦେଲେ ଚାଇନା ବୈଦେଶିକମନ୍ତ୍ରୀ…

ବେଜିଂ, ୩୦।୫ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକାର ଚାଇନା ପ୍ରତି ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି କିନ୍ତୁ ବେଜିଂ ବ୍ଲାକମେଲ କିମ୍ବା ଚାପର ସମ୍ମୁଖୀନ ହେବ ନାହିଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ନିକଟରେ ଜର୍ଜ ୱାଶିଂଟନ ୟୁନିଭରସିଟିରେ ତାଙ୍କ ଅଭିଭାଷଣରେ ବ୍ଲିଙ୍କେନ କହିଥିଲେ ଯେ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାଇନା ହେଉଛି ଏକମାତ୍ର ଦେଶ ଏବଂ ଏଥିପାଇଁ ଆର୍ଥିକ, କୂଟନୈତିକ, ସାମରିକ ଏବଂ ବୈଷୟିକ ଶକ୍ତି ମଧ୍ୟ ଏହା ପାଖରେ ରହିଛି। ଚାଇନା ଏସବୁ ଶକ୍ତି ଅଧାରରେ ବିସ୍ତାରବାଦୀ ନୀତି ଦ୍ୱାରା ଅନ୍ତ୍ରର୍ଜାତୀୟସ୍ତରରେ ପରିବର୍ତ୍ତନ ଆଣିବାର ଉଦ୍ୟମ କରୁଛି ବ୍ଲିଙ୍କେନ ଚାଇନାକୁ ଆମେରିକା ପାଇଁ ଏକ ଗମ୍ଭୀର ଆହ୍ବାନ ବୋଲି କହିଥିଲେ।

ସେ କହିଥିଲେ ଯେ ପୁଞ୍ଜି ବିନିଯୋଗ ଏବଂ ପ୍ରତିଯୋଗିତା ରଣନୀତି ମାଧ୍ୟମରେ ଚାଇନା ପ୍ରତଦ୍ୱନ୍ଦ୍ୱିତାକୁ ଜୋରଦାର କରୁଛି। ଏଭଳି ଜାରି ରହିଲେ ଏକ ନୂତନ ଶୀତ ଯୁଦ୍ଧ ଆରମ୍ଭ ହେବ। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆମେରିକାର ବିଶ୍ଳେଷଣକୁ ଚାଇନାର ଭାବମୂର୍ତ୍ତି ନଷ୍ଟ କରିବା ଲାଗି ଏକ ଅଭିଯାନ ବୋଲି କହିଛନ୍ତି। ବର୍ତ୍ତମାନ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗସ୍ତରେ ଥିବା ୱାଙ୍ଗ ୟି କହିଛନ୍ତି ଯେ ବ୍ଲିଙ୍କେନଙ୍କ ଭାଷଣରୁ ଚାଇନା ପ୍ରତି ଥିବା ଆମେରିକାର ରଣନୀତିକୁ ପ୍ରତିଫଳିତ କରୁଛି ଏବଂ ଦର୍ଶାଉଛି ଯେ ଆମେରିକାର ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି। ଅନେକ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ମଧ୍ୟରେ ମତଭେଦ ଜାରି ରହିଛି। ଏଥିରେ ତିବ୍ଦତ, ତାଇୱାନ, ହଂକଂ, ଦକ୍ଷିଣ ଚୀନ ସାଗର, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଚାଇନା ବିବାଦ ଆଦି ଅନ୍ତର୍ଭୁକ୍ତ ରହିଛି।

ଦକ୍ଷିଣ ଚାଇନା ସାଗରରେ ବହୁ ଥର ଆମେରିକା ଏବଂ ଚାଇନାର ନୌସେନା ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ ଚାଇନା ବାରମ୍ବାର ତାଇୱାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇ ଆମେରିକାକୁ ଉତ୍ତେଜିତ କରୁଛି। ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମଧ୍ୟ ଚାଇନାର ବିବାଦ ରହିଛି। ଏହି ଦୁଇ ଦେଶ ଆମେରିକାର ବନ୍ଧୁ ରାଷ୍ଟ୍ର। ତେଣୁ ଆମେରିକା ବିବାଦରେ ମୁଣ୍ଡ ପୁରାଉଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।

Share