ଆମେରିକା ନେଟ୍‌ଓ୍ବର୍କରେ ଚାଇନିଜ୍‌ ହ୍ୟାକର୍ସ

ସାନ୍‌ ଫ୍ରାନ୍ସିସ୍‌କୋ:  ଆମେରିକାକୁ ପୁଣି ଟାର୍ଗେଟ କରିଛନ୍ତି ଚାଇନା ଭିତ୍ତିକ ସାଇବର ଆକ୍ରମଣକାରୀ। ଦେଶର ସରକାରୀ ଓ ବେସରକାରୀ ପ୍ରାୟ ୩୦ ହଜାର ସଂସ୍ଥା ଉପରେ ଆକ୍ରମଣ ହୋଇଛି। ବିଭିନ୍ନ ସଂସ୍ଥାର ନେଟଓ୍ବର୍କ ମଧ୍ୟରେ ପ୍ରବେଶ ପାଇଁ ମାଇକ୍ରୋସଫ୍ଟ୍‌ର ଏକ୍ସଚେଞ୍ଜ ସର୍ଭର ସଫ୍ଟଓ୍ବେର ବ୍ୟବହାର କରାଯାଇଥିବା ଜଣାପଡିଛି। କ୍ରେବ୍‌ସ ଅନ୍‌ ସିକ୍ୟୁରିଟିକୁ ମିଳିଥିବା ସୂଚନା ଅନୁସାରେ ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭର ଇ-ମେଲ୍‌ ସଫ୍ଟଓ୍ବେରରେ ଥିବା ତ୍ରୁଟି ତଥା ଦୁର୍ବଳତାକୁ ହ୍ୟାକର୍ସ ଟାର୍ଗେଟ କରିଛନ୍ତି। ଏହାସହ ବିଶ୍ୱବ୍ୟାପୀ ହଜାର ହଜାର ମାଇକ୍ରୋସଫ୍ଟ୍‌ ଏକ୍ସଚେଞ୍ଜ ସର୍ଭରକୁ ମଧ୍ୟ ସେମାନେ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏ ନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଯାଇଛି।
ସାଧାରଣତଃ ବ୍ୟବସାୟୀମାନେ ଏହି ସର୍ଭର ବ୍ୟବହାର କରିଥାନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ମାଇକ୍ରୋସଫ୍ଟ ପକ୍ଷରୁ ନୂଆ ସିକ୍ୟୁରିଟି ଅପଡେଟ୍‌ ଅଣାଯାଇଛି। ଏହାକୁ ଗ୍ରାହକମାନେ ତୁରନ୍ତ ଇନ୍‌ଷ୍ଟଲ କରିବାକୁ ପରାମର୍ଶ ଦିଆଯାଇଛି। ଏଭଳି ଆକ୍ରମଣ ସମ୍ପର୍କରେ ଚଳିତ ସପ୍ତାହରେ ମାଇକ୍ରୋସଫ୍ଟ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ଚେତାବନୀ ଦିଆଯାଇଥିଲା। ଚାଇନାରୁ ପରିଚାଳିତ ‘ହାଫନିୟମ’ ବିଭିନ୍ନ ମେଡିକାଲ ରିସର୍ଚ୍ଚ ସଂସ୍ଥା, ଆଇନ ବ୍ୟବସ୍ଥା, ଶିକ୍ଷା, ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଟାର୍ଗେଟ କରି ତଥ୍ୟ ଚୋରି ପାଇଁ ଏଭଳି ଆକ୍ରମଣ ରଚୁଛି। ଗତ ୧୨ ମାସରେ ୮ ଥର ମାଇକ୍ରୋସଫ୍ଟ ପକ୍ଷରୁ ଏଭଳି ଘଟିବାକୁ ନେଇ ଚେତାବନୀ ଦେଇଛି।
ଏହା ପୂର୍ବରୁ ସୋଲାର୍‌ ଓ୍ବିଣ୍ଡ୍‌ସ ସଫ୍ଟଓ୍ବେର ମାଧ୍ୟମରେ ଆମେରିକାର ଫେଡେରାଲ ଏଜେନ୍ସି ଏବଂ ବିଭିନ୍ନ ଉଦ୍ୟୋଗ ଉପରେ ସାଇବର ଆଟାକ୍‌ ହୋଇଥିଲା। ହ୍ୟାକର୍ସ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏବଂ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫ୍‌ଏଏ)ର ନେଟ୍‌ଓ୍ବର୍କରେ ପ୍ରବେଶ କରିଥିଲେ।

Share