୩୦ ବର୍ଷ ପରେ ତିବ୍ବତରେ ଚାଇନା ମୁଖ୍ୟ

ବେଜିଂ,୨୩ା୭: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ତିବ୍ବତ ଯାତ୍ରା। ଏନେଇ ଚାଇନାର ସରକାରୀ ଚ୍ୟାନେଲ ସିସିଟିଭି ପକ୍ଷରୁ ଶୁକ୍ରବାର ଏକ ଭିଡିଓ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌ ସ୍ଥାନୀୟ ସମ୍ପ୍ରଦାୟ ପୋଷାକ ପରିଧାନ କରି ଅଭିବାଦନ ଜଣାଉଥିବା ଏଥିରେ ଦେଖିବାକୁ ମିଳିଛି।
ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଦୃଷ୍ଟିରୁ ଚାଇନାର ସମ୍ବେଦନଶୀଳ ଅଞ୍ଚଳ ତିବ୍ବତକୁ ଜିନ୍‌ପିଙ୍ଗ୍‌ ଗସ୍ତ କରିଥିବା ସେଠାକାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେ ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ଦକ୍ଷିଣ-ପୂର୍ବ ତିବ୍ବତର ନ୍ୟୁଙ୍ଗ୍‌ଚି ମେନ୍‌ଲିଙ୍ଗ୍‌ ବିମାନବନ୍ଦରରେ ବୁଧବାର ପହଞ୍ଚତ୍ଥିଲେ। କିନ୍ତୁ ଏନେଇ ଗତ ଦୁଇଦିନ ମଧ୍ୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ୨୦୦୮ରୁ ତିବ୍ବତରେ ଚାଇନା ପକ୍ଷରୁ ବିପୁଳ ପୁଞ୍ଜିନିବେଶ କରାଯାଉଛି। ବିଶେଷକରି ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ଉପରେ ବେଜିଂ ଗୁରୁତ୍ୱ ଦେଉଥିବା କୁହାଯାଉଛି।

ପ୍ରକାଶ ଯେ, ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ତିବ୍ବତକୁ ଏହା ଚାଇନାର କୌଣସି ଶୀର୍ଷ ନେତାଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ଜିନ୍‌ପିଙ୍ଗ୍‌ ୧୯୯୮ରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଫୁଜିଆନ୍‌ ପ୍ରଦେଶ ମୁଖ୍ୟ ଭାବେ ଏବଂ ୨୦୧୧ରେ ଉପାଧ୍ୟକ୍ଷ ଥିବାବେଳେ ତିବ୍ବତ ଗସ୍ତ କରିଥିଲେ। ୧୯୯୦ରେ ଜିଆଙ୍ଗ୍‌ ଜେମିନ୍‌ ରାଷ୍ଟ୍ରପତି ଥିବାବେଳେ ତିବ୍ବତ ଯାଇଥିଲେ।

Share