ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…

ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ଭାରତ ଲେଖାଯିବା ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା ପରେ ଏବେ ଇଣ୍ଡିଆ ନାମକୁ ହଟାଯିବ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଏପ୍ରସଙ୍ଗରେ ନିଜର ମତ ରଖିଛି ଚାଇନା। ଚାଇନାର ଏକ ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଏପ୍ରସଙ୍ଗରେ ଆଲେଖ୍ୟ ପ୍ରକାଶ କରିଛି।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବରରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ ଜି-୨୦ର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ସେ ଭାରତର ଅଧ୍ୟକ୍ଷତା ଉଚ୍ଚାଭିଳାଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ-ଭିତ୍ତିକ ହେବ ବୋଲି କହିଥିଲେ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଭାରତ ଜି-୨୦ର ଅଧ୍ୟକ୍ଷତା କରି ବିଶ୍ୱକୁ କେଉଁ ବାର୍ତ୍ତା ପଠାଇବାକୁ ଚାହୁଁଛି ସେଥିରେ କିଛି ଫରକ ପଡ଼ିବ ନାହିଁ। କିନ୍ତୁ ଏହି ସମୟରେ ଭାରତ ଯାହା କହିବ ଲୋକମାନେ ଏହାକୁ ଅଧିକ ଧ୍ୟାନ ଦେଇ ଶୁଣିବେ। ଆଶା କରାଯାଉଛି ଯେ ଭାରତ ଏହାର ଭଲ ଉପଯୋଗ କରି ଏହାକୁ ନିଜ ପାଇଁ ବିକାଶର ଏକ ପ୍ରେରଣା ଶକ୍ତିରେ ପରିଣତ କରିବ।

ଆଗକୁ ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତୀୟମାନେ ନିଜ ଦେଶକୁ ନିଜ ଇଚ୍ଛା ଅନୁସାରେ ଡାକିବାର ସ୍ବାଧୀନତା ରହିଛି, କିନ୍ତୁ ନାମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ତା’ର ଅର୍ଥନୈତିକ ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିପାରିବ କି। ନିଜର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ଦେଶ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରଭାବକୁ ସୁଦୃଢ କରିପାରିବ।

ତେବେ ଇଣ୍ଡିଆ ପ୍ରସଙ୍ଗରେ ଚାଇନାର ମତକୁ ନେଇ ପୂର୍ବତନ ଭାରତୀୟ କୂଟନୀତିଜ୍ଞ କାନୱାଲ ସିବଲ ଟ୍ବିଟ କରି କହିଛନ୍ତି, ‘ନାମ ବଦଳାଇବାକୁ ନେଇ ଚାଇନା ଆମକୁ ଶିକ୍ଷା ଦେଉଛି। ପ୍ୟାକିଂ ବେଜିଂ, ପୂର୍ବ ତୁର୍କସ୍ତାନ ଜିନଜିଆଙ୍ଗ, କ୍ୟାଣ୍ଟନମେଣ୍ଟ ଗୁଆଙ୍ଗଡୋଙ୍ଗ, ସିଆନ ସିଆନ, ତିବ୍ଦତ ଜିଜଙ୍ଗ ହୋଇଗଲା। ବିସ୍ତାରବାଦୀ ଉଦ୍ଦେଶ୍ୟ ପାଇଁ ଏହି ନାମ ମଧ୍ୟ ବଦଳୁଛି। ଅରୁଣାଚଳକୁ ଜଗନାନ କହି ନିଜର ବୋଲି ଦର୍ଶାଉଛି।

Share