ଇସଲାମାବାଦ୍, ୧୫।୯: ଏଲ୍ଓସି ଏବଂ ଏଲ୍ଏସିରେ ଭାରତକୁ ହଇରାଣରେ ପକାଇବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଉପରେ ନଜର ରଖିବା ଲାଗି ଚାଇନା ପାକ୍ ଅଧିକୃତ କଶ୍ମୀର(ପିଓକେ) ରେ ସୈନ୍ୟ ଶିବିର ନିର୍ମାଣ କରୁଛି। ତିବ୍ବତ ଏବଂ ତାଇଓ୍ବାନଠାରୁ ଦୂରେଇ ରହିବା ପାଇଁ ଭାରତକୁ ପରାମର୍ଶ ଦେଉଥିବା ଚାଇନା ଏବେ ଷଡ଼ଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ପାକିସ୍ତାନରେ ୮୭ ଶହ କୋଟି ଡଲାର ନିବେଶ କରୁଛି। ଏହା ସହିତ ଗିଲ୍ଗିଟ୍ରେ ଗୁପ୍ତ ଭାବରେ ସୈନ୍ୟ ଶିବିର ନିର୍ମାଣ ଜାରି ରଖିଛି। ଏନେଇ ଗଣମାଧ୍ୟମ ସଂସ୍ଥା ଏସିଆ ଟାଇମ୍ସ୍ରେ ଏକ ଖବର ପ୍ରକାଶ ପାଇଛି। ନିକଟରେ ଚାଇନା ୧୧ ଶହ କୋଟି ଡଲାରର ପ୍ରକଳ୍ପ ପାଇଁ ପାକିସ୍ତାନରେ ନିବେଶ କରିଛି। ଏହି ପ୍ରକଳ୍ପର ଅଧିକାଂଶ ଅଞ୍ଚଳ ପିଓକେରେ ରହିଛି। ଏହି ଖବରକୁ ପାକିସ୍ତାନ ଖଣ୍ଡନ କଲେ ମଧ୍ୟ ଗ୍ବାଦର ଏବଂ ଗିଲ୍ଗିଟ୍ ବଲ୍ଟିସ୍ତାନରେ ଥିବା ନିଜର ସୈନ୍ୟ ଶିବିରର ବ୍ୟବହାର ଅଧିକାର ଚାଇନାକୁ ଦେଇଛି। ଓପନ୍ ସୋର୍ସ ଇଣ୍ଟେଲଜେନ୍ସ ପକ୍ଷରୁ ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଏହା ଜଣାପଡ଼ିଛି।