Advertisement

ପାଞ୍ଚମାସ ପରେ ସିନେମା ହଲ୍‌ର ଦୃଶ୍ୟ ଥିଲା ଏଭଳି

ବେଜିଂ,୨୦।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ସାରିଲାଣି। ଗତବର୍ଷ ଡିସେମ୍ବରରେ କରୋନା ପ୍ରଥମ କରି ଚାଇନାରେ ଦେଖା ଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଛି। ଚାଇନାରେ ଯେତେବେଳେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲା ସେତେବେଳେ ତା’ର ଜନଗହଳିପୂର୍ଣ୍ଣ ସ୍ଥାନକୁ ବହୁଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା। ଏବେ ଦୀର୍ଘ ପ୍ରାୟ ୫ ମାସ ପରେ ସେଠାରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିଛି। ଆଉ ଏବେ ଲୋକେ ଖୁବ୍‌ ଉତ୍ସାହର ସହ ସିନେମା ଦେଖିବାକୁ ସେଠାରେ ପହଞ୍ଚିଛନ୍ତି। ତେବେ ସେଠାରେ ସାମାଜିକ ଦୂରତାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଛି। ଏମିତିକି ପ୍ରାୟ ୨ଟି ସିଟ୍‌ ମଧ୍ୟରେ ଜଣେ ଦର୍ଶକ ବସିଥିବା ଦେଖାଯାଇଛି। ଲୋକେ ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ଦୂରେଇ ରହି ସିନେମା ଦେଖିଥିବା ଦେଖାଯାଇଛି। ତେବେ ଚାଇନାର ଝାଙ୍ଗଝାଉ ଓ ଚାଙ୍ଗଶା ଅଞ୍ଚଳରେ କେବଳ ସିନେମା ହଲ୍‌ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ଏଠାରେ ସଂକ୍ରମଣ ସଂଖ୍ୟା କମ୍‌ ଥିବାରୁ ଏହି ଅଞ୍ଚଳକୁ ସିନେମା ହଲ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଗତ ଏପ୍ରିଲରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବା କୁହାଯାଉଥିବା ବେଳେ ପୁଣି ଗତ ଜୁନ୍‌ ମାସରେ ସେଠାରେ କରୋନା ଫେରିଥିବା ଦେଖାଯାଇଥିଲା ଓ ୫୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share