ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…

ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍‌ କରିଛି। ଏହି ବୁଡ଼ାଜାହାଜର ଡିଜାଇନ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଇଛି। ଭିଡିଓଟି ବୁଡ଼ାଜାହାଜର ସମୁଦ୍ର ପରୀକ୍ଷଣ ସମୟରେ ନିଆଯାଇଛି। ଭିଡିଓରେ ଦେଖାଯାଇଥିବା ବୁଡ଼ାଜାହାଜ ଟାଇପ ୦୩୯ ୟୁଆନ ବର୍ଗଠାରୁ ଛୋଟ। ବୁଡ଼ାଜାହାଜକୁ ଅନୁସନ୍ଧାନ ମିଶନ ପାଇଁ ପଠାଯାଇପାରିବ, ଶତ୍ରୁ ଅଞ୍ଚଳକୁ ପ୍ରବେଶ କରି ଏହା ଆକ୍ରମଣ ମଧ୍ୟ କରିବାକୁ ସକ୍ଷମ। ବିଶେଷଜ୍ଞମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏପରି ଡିଜାଇନ ଥିବା ଏକ ବୁଡ଼ାଜାହାଜ ପୂର୍ବରୁ କେବେ ଦେଖାଯାଇ ନ ଥିଲା। ସେମାନେ ଦାବି କରିଛନ୍ତି ଯେ ଚାଇନା ଏହାର ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟକ୍ରମକୁ ଦ୍ୱରାନ୍ବିତ କରୁଛି, ଯାହା ଭାରତ, ଆମେରିକା, ଜାପାନ ସମେତ ବିଶ୍ୱର ବହୁ ଦେଶ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

ବୁଡ଼ାଜାହାଜ ବିଶେଷଜ୍ଞ ଏଚ.ଆଇ. ସଟନ ଆକଳନ କରିଛନ୍ତି ଯେ ଏହା ପ୍ରାୟ ୧୬୦ ଫୁଟ ଲମ୍ବ ହୋଇଥିବାବେଳେ ଟାଇପ ୦୩୯-ଏର ଲମ୍ବ ୨୫୦ ଫୁଟରୁ ଅଧିକ। ୨୦୧୮ରେ, ଉପଗ୍ରହ ଫଟୋରେ ଏହିପରି ଗୋଟିଏ ବୁଡ଼ାଜାହାଜ ଦେଖିବାକୁ ମିଳିଥିଲା। ତା’ପରେ ଫଟୋଗ୍ରାଫ ଆଧାରରେ ବିଶେଷଜ୍ଞମାନେ ଏହାର ଲମ୍ବ ପ୍ରାୟ ୧୫୦ ଫୁଟ ବୋଲି ଆକଳନ କରିଥିଲେ। ସଟନଙ୍କ ଅନୁସାରେ ନୂତନ ବୁଡ଼ାଜାହାଜରେ ଗୋଟିଏ ହଲ୍‌ ରହିଥିବାର ସମ୍ଭାବନା ଥିବାବେଳେ ଟାଇପ ୦୩୯ରେ ଡବଲ ହଲ୍‌ ରହିଛି। ଚାରିଟି ଟରର୍ପିଡୋ ଟ୍ୟୁବ ସହିତ ଏହି ନୂଆ ବୁଡ଼ାଜାହାଜ ରହିଥିବାର ଅନୁମାନ କରାଯାଉଛି।

Share