Categories: ଜାତୀୟ

ଭାରତ ସୀମାରେ ପ୍ରବେଶ କରିଥିଲେ ଚାଇନା ସେନା: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୮: ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି ଯେ ଚାଇନା ସେନା ଗତ ମେ’ ମାସରେ ପୂର୍ବ ଲଦ୍ଦାଖରେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ପାଙ୍ଗୋଙ୍ଗ ତ୍ସୋ ଓ ଗୋଗରା ସେନାଙ୍କୁ ପଛକୁ ହଟାଇବା ଲାଗି ଯେତେବେଳେ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ପାଖାପାଖି ୫ଥର ଆଲୋଚନା ସରିଲାଣି ସେତେବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏଭଳି ତଥ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଓ୍ବେବସାଇଟରେ ଅପଲୋଡ କରାଯାଇଥିବା ତଥ୍ୟ ଅନୁସାରେ ଚାଇନା ସେନା କୁଗରଙ୍ଗ ନାଲା, ଗୋଗରା ଓ ଉତ୍ତର ତଟର ପାଙ୍ଗୋଙ୍ଗ ତ୍ସୋରେ ୧୭-୧୮ ମେ’ରେ ଅନୁପ୍ରବେଶ କରିଥିଲେ। ହେଲେ ଚାଇନା ସହ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଅନୁପ୍ରବେଶ ପାଇଁ ଭାରତ ପକ୍ଷରୁ ବ୍ୟବହାର କରାଯାଉଥିବା ‘ଅତିକ୍ରମଣ’ଶବ୍ଦର କୌଣସି ଅଧିକାରୀ ସ୍ତରରେ ଅବା ତଥ୍ୟରେ ଉଲ୍ଲେଖ କରାଯାଇନାହିଁ। ସୂଚନାଯୋଗ୍ୟ, ମେ’ ୫-୬ରେ ପାଙ୍ଗୋଙ୍ଗ ତ୍ସୋର ଉତ୍ତରରେ ଭାରତୀୟ ସେନା ଓ ଚାଇନା ସେନାଙ୍କ ମଧ୍ୟରେ ପ୍ରଥମଥର ଲାଗି ମୁହାଁମୁହିଁ ହୋଇଥିଲା। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ତାକୁ କିଛି ଘଣ୍ଟା ପରେ ହଟାଇ ଦିଆଯାଇଥିବା ସୂଚନା ମିଳିଛି।

Share