ପୁଣି ସନ୍ଦେହ ଘେରରେ ଚାଇନା: ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ

ଓ୍ବାଶିଂଟନ୍‌,୩।୨: ଆମେରିକାର ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଦେଖାଦେଇଛି। ଆମେରିକାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳର ତଥ୍ୟ ହାସଲ କରିବା ପାଇଁ ଚାଇନା ଏହି ଗୁଇନ୍ଦା ବେଲୁନ ପଠାଇଥିବା କୁହାଯାଉଛି। ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ପ୍ୟାଟ ରାଇଡର୍‌ କହିଛନ୍ତି, ଆମେରିକା ଆକାଶରେ ଏକ ବେଲୁନ ଉଡୁଥିବା ଆମେରିକା ସରକାର ଚିହ୍ନଟ କରିଛନ୍ତି। ଉତ୍ତର ଆମେରିକୀୟ ଏରୋସ୍ପେସ ଡିଫେନ୍ସ କମାଣ୍ଡ ଏହି ବେଲୁନ ଉପରେ କ୍ରମାଗତ ଭାବରେ ନଜର ରଖିଛି। ବେଲୁନ ବିଷୟରେ ଜାଣିବା ମାତ୍ରେ ସେମାନେ ତୁରନ୍ତ ସମ୍ବେଦନଶୀଳ ତଥ୍ୟ ସୁରକ୍ଷିତ କରିଛନ୍ତି ଯାହା ଦ୍ୱାରା ଏହା ସଂଗ୍ରହ ହୋଇପାରିବ ନାହିଁ। ଏହି ଗୁଇନ୍ଦା ବେଲୁନରେ ଏପରି କିଛି ନାହିଁ, ଯାହା ଲୋକମାନଙ୍କୁ କିମ୍ବା ସୈନ୍ୟବାହିନୀ ପାଇଁ କୌଣସି ବିପଦ ସୃଷ୍ଟି କରିପାରେ।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଖୁବ ଶୀଘ୍ର ବେଜିଂ ଗସ୍ତ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆମେରିକାରେ ଚାଇନାର ଗୁଇନ୍ଦା ବେଲୁନ ଉଡିବା ଆଶ୍ଚର୍ଯ୍ୟ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ରାଷ୍ଟ୍ରପତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଓ ବରିଷ୍ଠ ସେନା ଅଧିକାରୀଙ୍କ ସହ ବୈଠକ କରିଥିଲେ।

Share