Categories: ଜାତୀୟ

ଡେମ୍‌ଚୁକ୍‌ରେ ଚାଇନା ସୈନ୍ୟ

ଶ୍ରୀନଗର, ୧୩।୭: ଲଦାଖର ଡେମଚୁକ୍‌ ଅଞ୍ଚଳ ଅନ୍ତର୍ଗତ ସିନ୍ଧୁନଦୀ ଅପରପାର୍ଶ୍ୱରେ ଅବସ୍ଥିତ କେତେକ ଭାରତୀୟ ଗ୍ରାମରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରାଯାଉଥିବାବେଳେ ଚାଇନା ସୈନ୍ୟ ଓ ନାଗରିକମାନେ ୫ଟି ଗାଡ଼ିରେ ଆସି ଏହାକୁ ବିରୋଧ କରିଥିଲେ। ଉକ୍ତ ଗାଡ଼ିରେ ଚାଇନା ପତାକା ଓ ଦଲାଇଲାମା ବିରୋଧୀ ବ୍ୟାନର ଲାଗିଥିଲା। ଏହି ଘଟଣା ଜୁଲାଇ ୬ ତାରିଖରେ ଘଟିଛି।
ଦଲାଇଲାମାଙ୍କ ୮୬ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାମାରୀ ସଙ୍କଟ ଟଳିବା ପରେ ଦଲାଇଲାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ଆଶା କରାଯାଉଛି ବୋଲି ତିବ୍ବତର ନିର୍ବାସିତ ସରକାରର ରାଷ୍ଟ୍ରପତି ପେନ୍‌ପା ସେରିଙ୍ଗ ସୂଚନା ଦେଇଥିଲେ। ତିବ୍ବତ ସମ୍ପର୍କରେ ମୋଦିଙ୍କ ଟୁଇଟ୍‌ ବେଜିଂ ପାଇଁ ଶକ୍ତ ବାର୍ତ୍ତା ଥିଲା। ସେହିପରି ନିକଟରେ ଚାଇନା କମ୍ୟୁନିଷ୍ଟ ପାର୍ଟି ଶତବାର୍ଷିକୀ ପାଳନ କରିଥିବାବେଳେ ଭାରତ ସରକାର ବେଜିଂକୁ ଶୁଭେଚ୍ଛା ଜଣାଇ ନ ଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌-ମେ’ରୁ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବହୁ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ପକ୍ଷ କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ତଥାପି ହଟ୍‌ ସ୍ପ୍ରିଙ୍ଗ୍‌ସ- ଗୋଗ୍ରା ହାଇଟ୍ସ ଆଦି ଫ୍ରିକ୍ସନ ପଏଣ୍ଟଗୁଡ଼ିକରେ ଉତ୍ତେଜନା ହ୍ରାସ ଲାଗି ଏପର୍ଯ୍ୟନ୍ତ ସମାଧାନ ସୂତ୍ର ବାହାରିପାରି ନାହିଁ।

Share