Categories: ଜାତୀୟ

ଅରୁଣାଚଳ ସୀମାରେ ଚାଇନା ସୈନ୍ୟ

ନୂଆଦିଲ୍ଲୀ,୨୭ା୭(ଆଇଏଏନ୍‌ଏସ୍‌): ପୂର୍ବ ଲଦାଖରେ ଚାଇନା ସୈନ୍ୟ ପ୍ରବେଶ କରି ଭାରତୀୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଥିବାବେଳେ ଏହାକୁ ନେଇ ୩ ମାସ ହେଲା ସୀମାରେ ଉତ୍ତେଜନା ଲାଗି ରହିଛି। ଦୁଇଦେଶର ସୈନ୍ୟ ମୁହାଁମୁହିଁ ହେବା ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ବହୁସ୍ତରୀୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଚାଇନା କେତେକ ଅଞ୍ଚଳରୁ ସୈନ୍ୟଙ୍କୁ ଫେରାଇ ନେଇଥିଲେ ହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରୁନାହିଁ। ଫଳରେ ଭାରତୀୟ ସେନା ସୀମା ଉପରେ କଡ଼ା ନଜର ରଖିବା ସହ ଯେକୌଣସି ସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ସେପଟେ ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଚାଇନା ଅଧିକୃତ ତିବ୍ବତ୍‌ରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଠୁଳ କରିଥିତ୍ବା ଜଣାପଡିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପରିଚାଳିତ ଭାରତର ଗୋଇନ୍ଦା ତଥ୍ୟ ସଂଗ୍ରହକାରୀ ସାଟେଲାଇଟ୍‌ ଏମିସାଟ୍‌ ସିଗ୍‌ନାଲରୁ ଏହା ସ୍ପଷ୍ଟ ହୋଇଛି। ତିବ୍ବତରେ ଥିବା ପିଏଲ୍‌ଏ ପୋଜିଶନ ଉପର ଦେଇ ଶନିବାର ଏମିସାଟ୍‌ ଅତିକ୍ରମ କରିଥିଲା। ଏହି ସାଟେଲାଇଟରେ କୌଟିଲ୍ୟ ନାମରେ ଇଲେକ୍ଟ୍ରୋନିକ୍‌ ଇଣ୍ଟେଲିଜେନ୍ସ (ଏଲିଣ୍ଟ) ପ୍ୟାକେଜ୍‌ ରହିଛି। ସୀମାରେ ଶତ୍ରୁପକ୍ଷର ଗତିବିଧି ଉପରେ ତଥ୍ୟ ସଂଗ୍ରହ ପାଇଁ ଏଲିଣ୍ଟ ମିଶନର ମନିଟର ରେଡିଓ ସିଗ୍‌ନାଲ ବ୍ୟବହାର କରାଯାଉଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ନିର୍ମାଣ କରିଛି।
ଲଦାଖର ପଙ୍ଗଓଙ୍ଗ ସୋ ଦେଇ ଯାଇଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅନ୍ତର୍ଗତ ଫିଙ୍ଗର ୪ ଅଞ୍ଚଳରୁ ଚାଇନା ନିର୍ମାଣକୁ ହଟାଇବା ପାଇଁ ଭାରତ ଓ ଚାଇନା ମଧ୍ୟରେ ଆଲୋଚନାର ଦିନକ ପରେ ସାଟେଲାଇଟ ଏହି ସିଗ୍‌ନାଲ ପଠାଇଛି। ଆଲୋଚନା ଫଳପ୍ରଦ ହୋଇ ନ ଥିବାବେଳେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ପାଇଁ ବୈଠକ ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ଡେପସାଙ୍ଗ ସେକ୍ଟରରେ ମଧ୍ୟ ଚାଇନା ସୈନ୍ୟ ରହିଥିବା ଜଣାପଡ଼ିଛି। ସେମାନେ ଏଲ୍‌ଏସି ସେପଟେ ମାଟି ଖୋଳୁଥିବା ଦେଖିବାକୁ ମିଳିଛି। ୨୦୧୩ରେ ପିଏଲ୍‌ଏ ଡେପସାଙ୍ଗ ଅଞ୍ଚଳରେ ପ୍ରବେଶ କରିଥିଲା।
ଶୁକ୍ରବାର ଭାରତର ରିସାଟ-୨ବିଆର୍‌୧ ସାଟେଲାଇଟ୍‌ ଆଫ୍ରିକାର ଜିବୁଟି ଦେଇ ଅତିକ୍ରମ କରିଥିଲା। ସେଠାରେ ଚାଇନା ନୌସେନାର ଘାଟି ରହିଛି। ଦରିଆପାରିରେ ଚାଇନାର ଏହା ପ୍ରଥମ ସାମରିକ ଘାଟି। ଜିବୁଟି ଉପକୂଳ ନିକଟରେ ଚାଇନା ତିନୋଟି ଯୁଦ୍ଧଜାହାଜ ରଖିଥିବା ନିକଟରେ ଏକ ରିପୋର୍ଟରୁ ଜଣାପଡିଛି। ଜୁଲାଇ ୧୧ରେ ଏମିସାଟର ଏଲିଣ୍ଟ ପାକିସ୍ତାନର ଓର୍ମାରା ନୌସେନା ବେସ୍‌ ନିକଟ ଦେଇ ପାସ୍‌ କରିଥିଲା। ସେଠାରେ ଚାଇନା କିଛିବର୍ଷ ହେଲା ବୁଡ଼ାଜାହାଜ ମୁତୟନ କରିଛି। ଏଲ୍‌ଏସି ଅଚଳାବସ୍ଥାକୁ ନେଇ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଆଗାମୀ ଶୀତ ଋତୁରେ ଚାଇନା ଓ ପାକିସ୍ତାନ ଦୁଇପଟୁ ଭାରତ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଲଦାଖ ଓ କଶ୍ମୀରରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Share